American airlines flight attendant arrested for allegedly filming girls in airplane bathrooms

ଭର୍ଜିନିଆ: ବିମାନ ବାଥ୍‌ରୁମ୍‌ରେ ଏକାଧିକ ନାବାଳିକାଙ୍କ ଭିଡିଓ ଉତ୍ତୋଳନ କରିଥିବା ଆମେରିକାନ୍‌ ଏୟାର୍‌ଲାଇନ୍‌ର ଜଣେ ଆଟେଣ୍ଡାଣ୍ଟ୍‌ଙ୍କୁ ଗୁରୁବାର ଦିନ ଭର୍ଜିନିଆରୁ ଫେଡେରାଲ୍‌ ଏଜେଣ୍ଟ୍‌ମାନେ ଗିରଫ କରିଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି।
ରିପୋର୍ଟରେ ଉଲ୍ଲେଖ ଅଛି, ଗତବର୍ଷ ସେପ୍ଟେମ୍ବର ମାସରେ ଗୁପ୍ତରେ ବିମାନର ବାଥ୍‌ରୁମ୍‌ରେ ଭିଡିଓ ଉତ୍ତୋଳନ କରୁଥିବା ବ‌େଳେ ଆଟେଣ୍ଡାଣ୍ଟ୍‌ ତୃତୀୟ ଇସ୍‌ଟେସ୍‌ କାର୍ଟର୍‌ ଥମ୍ପ୍‌ସନ୍‌ଙ୍କୁ ‌ଜଣେ ୧୪ ବର୍ଷୀୟ ବାଳିକା ଧରିଥିଲେ।
ଘଟଣାଟି ୨୦୨୩ ସେପ୍ଟେମ୍ବର ୨ ତାରିଖରେ ଘଟିଥିଲା। ମେନ୍‌ କ୍ୟାବିନ୍‌ରେ ଥିବା ବାଥ୍‌ରୁମ୍‌କୁ ଯିବା ପାଇଁ ୧୪ ବର୍ଷୀୟ ବାଳିକାଟି ଅପେକ୍ଷା କରିଥିଲେ। କାରଣ ସେତେବେଳେ ସେ ବାଥ୍‌ରୁମ୍‌ରେ ଜଣେ କେହି ଥିଲେ। ସେତିକି ବେଳେ ଥମ୍ପ୍‌ସନ୍‌ ସେଠାକୁ ଯାଇ ସେ ଝିଅକୁ ଗୋଟାଏ ଫାଙ୍କା ବାଥ୍‌ରୁମ୍‌କୁ ବାଟ କଢ଼ାଇ ନେଲେ।
ଝିଅଟି ଟଏଲେଟ୍‌ର ଫ୍ଲସ୍‌ ମାରିବାକୁ ବୁଲିପଡ଼ିବା ବେଳେ ଦେଖିଲା ଷ୍ଟିକର୍‌ ତଳେ ‘ଆଇଫୋନ୍‌’ ଦିଶୁଛି। ‘ଆଇଫୋନ୍‌’ଟିକୁ ଆଂଶିକ ଲୁଚିଯାଇବା ପାଇଁ ତା’ ଉପରେ ମଧ୍ୟ ଗୋଟାଏ ଷ୍ଟିକର୍‌ ଲଗାଯାଇଥିଲା। ଷ୍ଟିକର୍‌ରେ ଲେଖାଥିଲା- ଟଏଲେଟ୍‌ ସିଟ୍‌ ଭାଙ୍ଗି ଯାଇଛି।ଷ୍ଟିକର୍‌ ଓ ‘ଆଇଫୋନ୍‌’ର ଫଟୋ ଉଠାଇ ସେ ବାଥ୍‌ରୁମ୍‌ରୁ ବାହାରି ଆସିଲା। ସଙ୍ଗେ ସଙ୍ଗେ ଥମ୍ପ୍‌ସନ୍‌ ମଧ୍ୟ ସେ ବାଥ୍‌ରୁମ୍‌କୁ ପଶିଲେ। ଝିଅ ବାପାମାଆଙ୍କୁ ବାଥ୍‌ରୁମ୍‌ରୁ ଉଠାଇଥିବା ‌ଫଟୋ ଦେଖାଇଲା। ତା’ର ମାଆ ସେ ବାଥ୍‌ରୁମ୍‌କୁ ଯାଇ ଦେଖିଲେ, ‘ଆଇଫୋନ୍‌’ କି, ଷ୍ଟିକର୍‌ କିଛି ନାହିଁ।
ଝିଅର ବାପାମାଆ ପାଇଲଟ୍‌ଙ୍କୁ ଏକ କଥା କହିଲେ। ବୋଷ୍ଟନ୍‌ରେ ଅବତରଣ ବିମାନ ଅବତରଣ କରାଇବା ପରେ ପାଇଲଟ୍‌ଜଣକ ସମ୍ପୃକ୍ତ ଅଧିକାରୀଙ୍କୁ ଏ ବିଷୟରେ ସୂଚନା ଦେଲେ। ପୁଲିସ ଥମ୍ପ୍‌ସନ୍‌ଙ୍କୁ ତଲାସ କରି ସେତେବେଳେ ତାଙ୍କ ‘ଆଇଫୋନ୍‌’ରୁ କିଛି ପାଇ‌ଲା ନାହିଁ। ପରୀକ୍ଷା ପାଇଁ ଫୋନ୍‌ ପଠାଯିବା ପରେ ସବୁ କଥା ଜଣାପଡ଼ିଲା। ସେ ଏଭଳି ଅନ୍ୟୂନ ୪ଜଣ ଝିଅଙ୍କ କ୍ଷେତ୍ରରେ କରିଥିବା କଥା ପୁଲିସ କହିଛି।
ପିଲାଙ୍କ ପ୍ରତି ଯୌନଶୋଷଣ କରୁଥିବା ଅଭିଯୋଗ କରି ଗୁରୁବାର ଦିନ ‘ଏଫ୍‌ବିଆଇ’ ୩୬ ବର୍ଷିୟ ଥମ୍ପ୍‌ସନ୍‌ଙ୍କୁ ଗିରଫ କରିଛି।

Share