Afgan V jpg 442x260 4g

କାବୁଲ:ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ପୁନର୍ବାର ଉତ୍ତେଜନା ପ୍ରକାଶ ପାଇଛି। ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ସେନା ତରଫରୁ ଆଫଗାନିସ୍ତାନ ସୀମାରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାକିସ୍ତାନ ତରଫରୁ ହୋଇଥିବା ବିମାନ ଆକ୍ରମଣରେ ୩୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିବା ଜଣାପଡ଼ିଛି।ଶନିବାର କରାଚୀରେ ଅର୍ଦ୍ଧସାମରିକ ବାହିନୀ ରେଞ୍ଜର୍ସର ଆଞ୍ଚଳିକ ମୁଖ୍ୟାଳୟ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଏହା କଡ଼ା ଜବାବ ବୋଲି ପାକିସ୍ତାନ କହିଛି। ସ୍ଥାନୀୟ ଗଣମାଧ୍ୟମ ଡନ୍ ନ୍ୟୁଜ୍ ଅନୁସାରେ ପାକିସ୍ତାନର ସୂଚନା ମନ୍ତ୍ରୀ ଆତାଉଲ୍ଲାହ ତାରାର କହିଛନ୍ତି ଆକ୍ରମଣ ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଏବଂ ଗୁଇନ୍ଦା ସୂଚନା ଉପରେ ଆଧାରିତ ଥିଲା। ସେ କହିଛନ୍ତି, ପାକିସ୍ତାନୀ ସୁରକ୍ଷା ବାହିନୀ ସୀମାନ୍ତ ଅଞ୍ଚଳରେ ଥିବା ଗୁପ୍ତ ସ୍ଥାନଗୁଡ଼ିକୁ ଟାର୍ଗେଟ କରିଥିଲେ ଯେଉଁଠାରୁ ପାକିସ୍ତାନ ବିରୋଧୀ କାର୍ଯ୍ୟକଳାପ କରାଯାଉଥିଲା। ରବିବାର ବିଳମ୍ବିତ ରାତିରେ ଏହି ଅପରେସନ୍ ଆରମ୍ଭ ହୋଇଥିଲା।

ସୂଚନା ମନ୍ତ୍ରୀ ତାରାରଙ୍କ ଅନୁଯାୟୀ,ସାମ୍ପ୍ରତିକ ସମୟରେ ପାକିସ୍ତାନର ବିଭିନ୍ନ ସ୍ଥାନରେ ଘଟିଥିବା ଆତଙ୍କବାଦୀ ଘଟଣାକୁ ଦୃଷ୍ଟିରେ ରଖି ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଫଗାନିସ୍ତାନ ନିଜ ମାଟିରେ ପାକିସ୍ତାନୀ ସେନାର ଆକ୍ରମଣ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଆଫଗାନିସ୍ତାନର ତାଲିବାନ ସରକାର ଅସୀମ ମୁନିର ଏବଂ ଶାହବାଜ ସରିଫଙ୍କୁ ଚେତାବନୀ ଦେଇଛନ୍ତି। ପାକିସ୍ତାନୀ ବିମାନ ଆକ୍ରମଣରେ ଆଫଗାନିସ୍ତାନ ସୀମାନ୍ତ ପ୍ରଦେଶ ପାକଟିଆ ଏବଂ କୁନାରରେ ବ୍ୟାପକ ଧ୍ୱଂସ ଘଟାଇଛି। ପାକଟିଆ ପୁଲିସ କମାଣ୍ଡର ମୁଖପାତ୍ର ମୁନିବ ଜାଦ୍ରାନ କହିଛନ୍ତି ସୀମାନ୍ତ ପ୍ରଦେଶର ସାମକାନି ଜିଲାରେ ପାକିସ୍ତାନୀ ସେନାର ଆକ୍ରମଣରେ ୩୬ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୬୦ରୁ ଅଧିକ ଆହତ ହୋଇଛନ୍ତି। ଆଫଗାନରେ କ୍ଷମତାସୀନ ତାଲିବାନ ସରକାରଙ୍କ ମୁଖପାତ୍ର ଜାବିଉଲ୍ଲା ମୁଜାହିଦ କହିଛନ୍ତି ଯେ ପାକିସ୍ତାନ ସେନା ପାକଟିଆ ପ୍ରଦେଶର ଗ୍ୟାନ ଏବଂ ସମକାନି ଜିଲା ଏବଂ କୁନାର ପ୍ରଦେଶର ମାରୱାରା ଜିଲାରେ ଜନସାଧାରଣଙ୍କୁ ହତ୍ୟା କରିଛି। ସେ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ଏବଂ ଏହାକୁ ପାକିସ୍ତାନୀ ସେନାର ଏକ ଅପରାଧିକ କାର୍ଯ୍ୟ ବୋଲି କହିଛନ୍ତି। ସୋମବାର ସକାଳେ ଜାବିଉଲ୍ଲା ସୋସିଆଲ ମିଡିଆ ଏକ୍ସରେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଗତକାଲି ରାତିରେ ପାକିସ୍ତାନୀ ସେନା ଆଫଗାନିସ୍ତାନର ପାକ୍ଟିକା ଏବଂ କୁନାର ପ୍ରଦେଶର ସାଧାରଣ ଲୋକଙ୍କ ଉପରେ ପୁଣି ଥରେ ଆକ୍ରମଣ କରିଛି। ଆମେ ଏହି କାର୍ଯ୍ୟକୁ ଦୃଢ଼ ନିନ୍ଦା କରୁଛୁ। ଏହାକୁ ଏକ ଅପରାଧ ଏବଂ ବର୍ବର କାର୍ଯ୍ୟ ବୋଲି ବିବେଚନା କରୁଛୁ। ପାକିସ୍ତାନୀ ସେନାର କାପୁରୁଷ ଆକ୍ରମଣରେ ମହିଳା ଏବଂ ଶିଶୁ ସମେତ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।

Share