Sambalpur 1707196012

ସମ୍ବଲପୁର : ଘରୋଇ କଳିର କରୁଣ ପରିଣତି। ସାମାନ୍ୟ କଳିକୁ ନେଇ ଶାଶୁଙ୍କୁ ପାୱାର ଚେନାଲ ଭିତରକୁ ଠେଲିଦେଲା ବୋହୂ। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ମାଝିପାଲି ଟେମ୍ପରାରୀ କଲୋନୀରେ। ପୁଲିସ ବୋହୂ ସବିତା ଭୁଏଙ୍କୁ ଗିରଫ କରିଛି।
ରବିବାର ରାତିରେ ଖାଇବା ବାଢିବାକୁ ନେଇ ଶାଶୁ ଲୟ ଭୁଏ ଓ ବୋହୂ ସବିତାଙ୍କ ମଧ୍ୟରେ ଝଗଡା ହୋଇଥିଲା। ହଠାତ୍ ସବିତା ଉତକ୍ଷିପ୍ତ ହୋଇପଡ଼ିଥିଲେ। ପରେ ସ୍ୱାମୀଙ୍କୁ ଘରେ ବନ୍ଦ କରି ଶାଶୂଙ୍କୁ ଘରୁ ବାହାରକୁ ଟାଣିଆଣି ଥିଲେ। ଘର ପାଖରେ ଥିବା ପାୱାର ଚ୍ୟାନେଲକୁ ଠେଲି ଦେଇଥିଲେ। ସୌଭାଗ୍ୟବଶତ ବୃଦ୍ଧା ଜଣଙ୍କ ଏକ ଲୁହା ଖୁଣ୍ଟକୁ ଧରି ଚିତ୍କାର କରିଥିଲେ।
ସ୍ଥାନୀୟ ଲୋକେ ବୃଦ୍ଧାଙ୍କ ପାଟି ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ। ପରେ ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବୃଦ୍ଧାଙ୍କ ପୁଅ ନିଜ ସ୍ତ୍ରୀ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ ଆଧାରରେ ପୁଲିସ ବୋହୂ ସବିତା ଭୁଏଙ୍କୁ ଗିରଫ କରିଛି। ବୃଦ୍ଧା ଜଣଙ୍କ ବର୍ତ୍ତମାନ ସୁଦ୍ଧା ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

Share