Up news 750x430

ବାରଣାସୀ: ଉତ୍ତରପ୍ରଦେଶର ବାରଣାସୀ ସ୍ଥିତ କାଶୀ ବିଶ୍ୱନାଥ ମନ୍ଦିରର ଗେଟ୍‌ ନମ୍ବର–୪ ନିକଟରେ ଶନିବାର ସକାଳେ ଏକ ଅଘଟଣ ଘଟିଛି। PAC (ପ୍ରୋଭିନ୍ସିଆଲ୍ ଆର୍ମ୍ଡ କନଷ୍ଟାବ୍ୟୁଲାରୀ)ର ଜଣେ ଯବାନଙ୍କ କାର୍ବାଇନରୁ ଭୁଲବଶତଃ ଗୁଳି ଫୁଟିଯିବାରୁ ଏକ ଫୁଲମାଳ ଦୋକାନରେ କାମ କରୁଥିବା ୩ ଜଣ ଆହତ ହୋଇଛନ୍ତି। ଘଟଣାର CCTV ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ଗୁଳି ଚଳାଇଥିବା PAC ଯବାନଙ୍କ ନାମ ଅମରନାଥ ଚୌହାନ। ସେ ୪୮ତମ ବାଟାଲିଅନରେ କାର୍ଯ୍ୟରତ ଅଛନ୍ତି। ସକାଳ ପ୍ରାୟ ୬ଟା ୪୪ ମିନିଟ୍‌ରେ ସେ ଗେଟ୍‌ ନମ୍ବର–୪ର ନନ୍ଦୁ ଫରିଆ ପ୍ରବେଶ ପଥ ସମ୍ମୁଖରେ ଥିବା କୈଳାଶ ପତି ଫୁଲମାଳ ଦୋକାନ ପାଖକୁ ପହଞ୍ଚିଥିବାବେଳେ ତାଙ୍କ ହାତରେ ଥିବା କାର୍ବାଇନରୁ ହଠାତ୍ ଗୁଳି ଫୁଟିଯାଇଥିଲା। ଗୁଳିଟି ସିଧାସଳଖ ଭୂମିରେ ବାଜିଥିଲେ ମଧ୍ୟ ତାହାର ଛର୍ରା (ବନ୍ଧୁକରେ ବ୍ୟବହୃତ ହେଉଥିବା ଛୋଟ ଛୋଟ ଲୁହା କିମ୍ବା ସୀସାର ଗୁଳି) ଉଡ଼ି ଦୋକାନରେ କାମ କରୁଥିବା ୩ ଜଣଙ୍କୁ ଆଘାତ କରିଥିଲା। ଆହତମାନଙ୍କ ମଧ୍ୟରୁ ଜଣଙ୍କ ହାତରେ, ଜଣଙ୍କ ଅଣ୍ଟାରେ ଏବଂ ଅନ୍ୟ ଜଣଙ୍କ ଗୋଡ଼ରେ ଛର୍ରା ବାଜିଛି।

ଘଟଣା ପରେ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା। ଆହତ ତିନିଜଣଙ୍କୁ ତୁରନ୍ତ ମଣ୍ଡଳୀୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ସୂଚନା ଅନୁସାରେ, ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେମାନେ ବିପଦମୁକ୍ତ ଅଛନ୍ତି।

ଘଟଣାର ଖବର ପାଇ ଡିଆଇଜି ଶିବହରି ମୀଣାଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ପରେ ସେମାନେ ହସ୍ପିଟାଲକୁ ଯାଇ ଆହତଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଡିସିପି କାଶୀ ଜୋନ୍‌ ଗୌରବ ବଂସୱାଲ କହିଛନ୍ତି, ଭିଡ଼ ନିୟନ୍ତ୍ରଣ ସମୟରେ PAC ଯବାନଙ୍କ ହାତରୁ କାର୍ବାଇନ ଖସିଯିବାରୁ ଦୁଇ ରାଉଣ୍ଡ ଗୁଳି ଫୁଟିଥିଲା। ଗୁଳି ଭୂମିରେ ବାଜିବା ପରେ ତାହାର ଛର୍ରା ଫୁଲମାଳ ବ୍ୟବସାୟୀଙ୍କୁ ଆଘାତ କରିଥିଲା। ଘଟଣାର ତଦନ୍ତ ଚାଲିଛି। କାହିଁକି ଏବଂ କିଭଳି ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଗଲା ତାହାର କାରଣ ଖୋଜା ଚାଲିଛି ।

ଏହି ସମଗ୍ର ଘଟଣା ନିକଟସ୍ଥ CCTV କ୍ୟାମେରାରେ ରେକର୍ଡ ହୋଇଛି। ଭିଡିଓରେ PAC ଯବାନ କାର୍ବାଇନ ଧରି ଆସୁଥିବା ବେଳେ ହଠାତ୍ ଗୁଳି ଫୁଟିଯାଉଥିବା ଦୃଶ୍ୟ ସ୍ପଷ୍ଟ ଦେଖାଯାଉଛି।

Share