IMAGE

ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ତଥା କଂଗ୍ରେସ ନେତା ହରକ ସିଂହ ରାଓ୍ୱତଙ୍କ ଘରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମନି ଲଣ୍ଡରିଂ ମାମଲାରେ ଇଡିର ଏକ ଟିମ୍‌ ତାଙ୍କ ଘରେ ଆଜି ଭୋରୁ ଚଢ଼ାଉ କରିଛି। ଏଥିସହ ତାଙ୍କର ଅନ୍ୟ ୧୨ଟି ସ୍ଥାନରେ ମଧ୍ୟ ଇଡି ରେଡ୍‌ କରିଥିବା ସୂଚନା ମିଳିଛି।

ସୂଚନା ମୁତାବକ, ମନି ଲଣ୍ଡରିଂ ସହ ଜଡିତ ମାମଲାରେ ଇଡି ଉତ୍ତରାଖଣ୍ଡ ଓ ଦିଲ୍ଲୀ-ଏନ୍‌ସିଆର୍‌ର ୧୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଡେରାଡୁନର ଡିଫେନ୍ସ କଲୋନୀ ସ୍ଥିତ ହରକ ସିଂହ ରାଓ୍ୱତଙ୍କ ବାସଭବନରେ ପହଞ୍ଚି ଇଡି ସେଠାରେ ଛାନ୍‌ଭିନ୍‌ ଜାରି ରଖିଛି। ଏହି ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କ ନିକଟ ସମ୍ପର୍କୀୟଙ୍କ ଘରେ ମଧ୍ୟ ଇଡି ଟିମ୍‌ ଚଢ଼ାଉ କରିଛି।

କହିରଖୁ ଯେ, ଉତ୍ତରାଖଣ୍ଡର ହରକ ସିଂହ ରାଓ୍ୱତଙ୍କୁ ବିଜେପି ଅନୁଶାସନହୀନତା ଯୋଗୁ ଦଳରୁ ବହିଷ୍କାର କରିଥିଲା। ଏଥିସହ ତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ପଦ ମଧ୍ୟ ଛଡାଇ ନେଇଥିଲା। ବିଜେପିରୁ ବାହାରିବା ପରେ ୨୦୨୨ରେ ହରକ ସିଂହ ରାଓ୍ୱତ କଂଗ୍ରେସରେ ସାମିଲ ହୋଇଥିଲେ। ସେବେଠାରୁ ସେ କଂଗ୍ରେସ ସହ ଜଡିତ ଅଛନ୍ତି।

Share