PM Modi

‘କଂଗ୍ରେସର ଚିନ୍ତନ ଶକ୍ତି ଆଉଟ୍‌ ଡେଟେଡ୍ ହୋଇଗଲାଣି। ଆଗାମୀ ନିର୍ବାଚନରେ କଂଗ୍ରେସ ୪୦ ସିଟ୍‌ ପାଇବା ବି ସନ୍ଦେହ। ଦେଶରେ ମୋଦି ୩.୦ ଶାସନ ଆରମ୍ଭ ହେବ।’ ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ପ୍ରସ୍ତାବ ଆଗତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କିଛି ଭବିଷ୍ୟବାଣୀ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଆଜି ପୁଣି କଂଗ୍ରେସ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସର ଚିନ୍ତାଧାରା ଆଉଟ୍‌ଡେଟେଡ୍‌ ହୋଇଗଲାଣି। ଏମାନଙ୍କ ନିଜ କାମକୁ ମଧ୍ୟ ଆଉଟ୍‌ସୋର୍ସ କରିସାଲେଣି। ଦେଖୁ ଦେଖୁ ଦେଶର ସବୁଠୁ ପୁରୁଣା ଦଳ, ଯିଏ ବର୍ଷ ବର୍ଷ ଧରି ଦେଶକୁ ଶାସନ କରିଥିଲା ତା’ର ପତନ ହେବାକୁ ଯାଉଛି। ଦଳର ଏ ଅବସ୍ଥା ଦେଖି ଆମକୁ ଖୁସି ଲାଗୁନି। ଦଳ ପ୍ରତି ସମବେଦନା ଜଣାଉଛୁ ବୋଲି ମୋଦି କହିଛନ୍ତି।

ସେ ଆହୁରି କହିଛନ୍ତି, ଆଗାମୀ ନିର୍ବାଚନରେ କଂଗ୍ରେସ ୪୦ଟି ସିଟ୍‌ ମଧ୍ୟ ହାତେଇ ପାରିବ ନାହିଁ। ପଶ୍ଚିମବଙ୍ଗରୁ କଂଗ୍ରେସ ପାଇଁ ଏଭଳି କିଛି ଚ୍ୟାଲେଞ୍ଜ ଆସିଛି। ମୁଁ ଆଶା କରିବି କଂଗ୍ରେସ ତାର ସେହି ୪୦ ସିଟ୍‌ ବଜାୟ ରଖୁ। ଗଣତନ୍ତ୍ରର ତଣ୍ଟି ଚିପିଥିବା କଂଗ୍ରେସ ସଂଘୀୟ ବ୍ୟବସ୍ଥାର ପ୍ରବଚନ ଦେଉଛି। ବିଛିନ୍ନତାବାଦକୁ ପ୍ରୋତ୍ସାହନ ଦେଉଥିବା କଂଗ୍ରେସ ରାଷ୍ଟ୍ର ସୁରକ୍ଷା କଥା କହୁଛି। କଂଗ୍ରେସ ସରକାର ‘ପଲିସି ପାରାଲିସିସି’ ଭାବେ ପରିଚିତ।

ଯେଉଁ କଂଗ୍ରେସ କେବେ ଓବିସିକୁ ପୂରାପୁରି ସଂରକ୍ଷଣ ଦେଇ ନାହିଁ, ଯିଏ ସାଧାରଣ ବର୍ଗର ଗରିବମାନଙ୍କୁ ମଧ୍ୟ ସଂରକ୍ଷଣ ଦେଇନାହିଁ, ଯିଏ ବାବା ସାହେବଙ୍କୁ ଭାରତ ରତ୍ନ ପାଇଁ ଯୋଗ୍ୟ ଭାବୁନାହିଁ। ଯିଏ କେବଳ ନିଜର ପରିବାରକୁ ହିଁ ଭାରତ ରତ୍ନ ଦେଉଛି, ସିଏ ଆପକୁ ଉପଦେଶ ଦେଉଛି। ଏମାନେ ଆମକ ସାମାଜିକ ନ୍ୟାୟର ପାଠ ପଢ଼ାଉଛନ୍ତି। ଯେଉଁ କଂଗ୍ରେସର ନିଜ ନେତାଙ୍କ କୌଣସି ଗ୍ୟାରେଣ୍ଟି ନାହିଁ ସେମାନେ ମୋଦିଙ୍କ ଗ୍ୟାରେଣ୍ଟି ଉପରେ ପ୍ରଶ୍ନ ଉଠାଉଛନ୍ତି କହି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ।

ମୋଦି ୩.୦ ଶାସନ ଆରମ୍ଭ ହେବ। ତୃତୀୟ ପାଳି ବିଜୟ ପକ୍କା। ଖୁବ୍‌ ଶୀଘ୍ର ମୋ ସରକାରର ତୃତୀୟ ପାଳି ଆରମ୍ଭ ହେବାକୁ ଯାଉଛି। ଆଗାମୀ ୫ ବର୍ଷ ବିକାଶର ନୂଆ ସୋପାନରେ ଆମେ ପହଞ୍ଚିବୁ। ଆଗାମୀ ୫ ବର୍ଷରେ ଭାରତ ବୁଲେଟ୍‌ ଟ୍ରେନ୍‌ ଦେଖିବ। ଆତ୍ମ ନିର୍ଭର ଭାରତ ଅଭିଯାନ ନୂଆ ଶିଖରରେ ପହଞ୍ଚିବ ଦେଶ। ଖାଇବା ତେଲ ଉତ୍ପାଦନରେ ୫ ବର୍ଷରେ ଭାରତ ଆତ୍ମନିର୍ଭର ହେବ। ସଂକଳ୍ପରୁ ସିଦ୍ଧି ଯାଏଁ ପହଞ୍ଚାଇବା ମୋ କାର୍ଯ୍ୟଶୈଳୀର ଅଂଶବିଶେଷ ବୋଲି କହିଛନ୍ତି ମୋଦି।

Share