Image 1707306417

ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଉ ୫ ଦିନ ପାଇଁ ରିମାଣ୍ଡରେ ନେଇଛି ଇଡି। ରାଞ୍ଚିରେ ଥିବା ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ହେମନ୍ତ ସୋରେନଙ୍କ ରିମାଣ୍ଡ ଅବଧିକୁ ବୃଦ୍ଧି କରିଛନ୍ତି।

ଜମି ଦୁର୍ନୀତି ମାମଲାରେ ଇଡି ମନିଲଣ୍ଡରିଂ ମାମଲା ରୁଜୁ କରିଥିବା ବେଳେ ହେମନ୍ତ ସୋରେନଙ୍କୁ ୩୧ ତାରିଖ ରାତିରେ ଗିରଫ କରିଥିଲା। ଗୋଟିଏ ଦିନ ପାଇଁ ସେ ଜେଲରେ ରହିବା ପରେ ଇଡି ତାଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେଇ ଜେରା କରିଥିଲା। ଆଜି ରିମାଣ୍ଡ ଅବଧି ଶେଷ ହେଉଥିବାରୁ ହେମନ୍ତ ସୋରେନଙ୍କୁ କଡ଼ା ସୁରକ୍ଷାବଳୟ ମଧ୍ୟରେ କୋର୍ଟରେ ହାଜର କରାଯାଇଥିଲା।

ସେ କୋର୍ଟରେ ହାଜର ହେଉଥିବାରୁ ବାହାରେ ତାଙ୍କ ସମର୍ଥକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ହେମନ୍ତ ସୋରେନ ମଧ୍ୟ ହାତ ହଲାଇ ସମସ୍ତଙ୍କ ଅଭିବାଦନ ଗ୍ରହଣ କରିଥିଲେ। ସମର୍ଥକମାନେ ବେଶ ଉତ୍ସାହିତ ହୋଇ ନାରାବାଜୀ କରିଥିଲେ। ହେମନ୍ତ ସୋରେନ ଜିନ୍ଦାବାଦ ଓ ଜେଲର ଦ୍ୱାର ଭାଙ୍ଗିବ, ହେମନ୍ତ ଭାଇ ବାହାରିବେ ବୋଲି ନାରାରେ ପୂରା ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ପ୍ରବଳ ଭିଡ଼ ମଧ୍ୟରେ ଇଡିର ଅଧିକାରୀମାନେ ହେମନ୍ତ ସୋରେନଙ୍କୁ କୋର୍ଟ ଭିତରକୁ ନେଇଥିଲେ।

କୋର୍ଟରେ ଇଡି ତାଙ୍କୁ ହାଜର କରି ପୁଣି ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। କୋର୍ଟର ଇଡିର ଆବେଦନକୁ ଗ୍ରହଣ କରି ହେମନ୍ତ ସୋରେନଙ୍କୁ ଆଉ ୫ ଦିନ ପାଇଁ ରିମାଣ୍ଡରେ ପଠାଇ ଦେଇଛନ୍ତି।

Share