Rain
Torrential rain in the rainy season a tropical rainforest. La Gran Sabana, Venezuela

ଭୁବନେଶ୍ବର : ଖରାର ଅସମ୍ଭାଳ ତାତି ଭିତରେ ଆସିଲା ଭଲ ଖବର। ଆଗାମୀ ୧୭ ତାରିଖରୁ ବର୍ଷା ବଢ଼ିବ। ରାଜ୍ୟର କେତେକ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ୧୭ ତାରିଖରୁ ବର୍ଷା ବଢ଼ିବ। ସେହିଦିନ ନୟାଗଡ଼, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏଥିସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବୋହିବ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
୧୮ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏଥିସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବୋହିବ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେପଟେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତିଙ୍କ କହିବା ଅନୁସାରେ ଆଗାମୀ ୨୪ ଘଣ୍ଟା ଭିତରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ୱଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ରହିଛି। ତେବେ ୧୫, ୧୬ ଓ ୧୭ ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ହୋଇପାରେ। ବର୍ତ୍ତମାନ ମୌସୁମୀ ମାଲକାନଗିରି ପର୍ଯ୍ୟନ୍ତ ଆସିଛି। ଆଗାମୀ ୪ରୁ ୫ ଦିନ ଭିତରେ ମୌସୁମୀ କୋରାପୁଟ ଛୁଇଁପାରେ। ମୌସୁମୀ ପାଇଁ ବର୍ତ୍ତମାନ ସ୍ଥିତି ଅନୁକୂଳ ରହିଛି ବୋଲି ଡକ୍ଟର ମହାନ୍ତି କହିଛନ୍ତି।

Share