ନୂଆଦିଲ୍ଲୀ : ଦେଶରେ ଥିବା ସମସ୍ତ ଗଣମାଧ୍ୟମ ସଂସ୍ଥାଗୁଡିକ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । କାର୍ଯ୍ୟରତ ସେନା କର୍ମଚାରୀ , ଅବସରପ୍ରାପ୍ତ ସେନା କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଜଣାଇବା ଉଚିତ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି । ମାର୍ଗଦର୍ଶିକାରେ କୁହାଯାଇଛି ଯେ ନିକଟରେ ଭାରତୀୟ ସେନା ଦ୍ୱାରା କରାଯାଇଥିବା ଅପରେସନ ସିନ୍ଦୂରରେ ଯେଉଁ ସେନା କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ ସେମାନଙ୍କ ଘର କେଉଁଠି ଓ ପରିବାର ଲୋକଙ୍କ ନମ୍ବର ପାଇ ସେମାନଙ୍କ ସହିତ ସାକ୍ଷାତକାର କରିବାକୁ ଉଦ୍ୟମ କରୁଛନ୍ତି ଗଣମାଧ୍ୟମ । ଏହାସହିତ ସେମାନଙ୍କ ବ୍ୟକ୍ତିଗତ ଜୀବନ ଉପରେ ଖବର ପ୍ରସାରଣ କରିବାକୁ ପ୍ରୟାସ କରୁଛନ୍ତି । ଯାହାର କୌଣସି ଆବଶ୍ୟକତା ନାହିଁ ।
ସେନା କର୍ମଚାରୀଙ୍କ ବ୍ୟକ୍ତିଗତ ତଥ୍ୟ ଯେପରିକି ବାସସ୍ଥାନ ଠିକଣା, ପରିବାର ସଦସ୍ୟଙ୍କ ଫଟୋ ନେବା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏସମ୍ପର୍କିତ ଗୋପନୀୟତା ରକ୍ଷା କରିବା ପାଇଁ ଗଣମାଧ୍ୟମକୁ ଦାୟିତ୍ୱପୂର୍ଣ୍ଣ ସାମ୍ବାଦିକତାର ମାନଦଣ୍ଡ ବଜାୟ ରଖିବାକୁ ଆଡଭାଇଜରୀରେ କୁହାଯାଇଛି ।
