Untitled 2025 10 14 09 57 52

ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ। ଗତକାଲି ସେ ହସ୍ପିଟାଲକୁ ଯାଇ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଡାକ୍ତରଙ୍କଠାରୁ  ପଚାରି ବୁଝିଥିଲେ ଏବଂ ତାଙ୍କ ପିତାମାତାଙ୍କୁ ଭେଟିଥିଲେ।

ରାଜ୍ୟପାଳ ପୀଡ଼ିତାଙ୍କ ପିତାମାତାଙ୍କୁ ନ୍ୟାୟର ଆଶ୍ୱାସନା ଦେଇଥିଲେ। ସେ କହିଛନ୍ତି ଯେ ଘଟଣା ବିଷୟରେ ପୂର୍ବରୁ ବିସ୍ତୃତ ବିବରଣୀ ମାଗିସାରିଛନ୍ତି। ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ମାମଲାରେ ପୁଲିସ ପଞ୍ଚମ ଅଭିଯୁକ୍ତ ସଫିକୁଲ ଶେଖଙ୍କୁ ମଧ୍ୟ ଗିରଫ କରିଛି।

ତେଣେ ପଶ୍ଚିମବଙ୍ଗର ଦୁର୍ଗାପୁରରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟେଲିଫୋନ୍‌ରେ କଥା ହୋଇଛନ୍ତି। ଏହାସହ ପୀଡ଼ିତାଙ୍କ ମା’ ଓ ସେଠାରେ ଉପସ୍ଥିତ ଓଡ଼ିଶା ମହିଳା କମିସନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ପୀଡ଼ିତା ଜଣକ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କୁ କହିଥିଲେ ଯେ ଚିନ୍ତା କରନାହିଁ, ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଭାବେ ତୁମ ସହିତ ଅଛନ୍ତି। ଯେପରି ଶୀଘ୍ର ସୁସ୍ଥ ହୋଇ ସାମାନ୍ୟ ଜୀବନଯାପନ କରି ଶିକ୍ଷାକ୍ଷେତ୍ରରେ ଆଗକୁ ବଢ଼ିବେ ସେଥିପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଏଥିପାଇଁ ନିୟମ ଅନୁଯାୟୀ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ୟପଟେ ଦୁର୍ଗାପୁରରେ ପହଞ୍ଚିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି। ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାର ଅନୁଧ୍ୟାନ ପାଇଁ ସେ ଦୁର୍ଗାପୁର ଯାଇଛନ୍ତି। ଏହି ଅବସରରେ ସେ ଗଣଦୁଷ୍କର୍ମ ପୀଡ଼ିତା ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ମଧ୍ୟ ଭେଟି ଘଟଣା ବିଷୟରେ ଅବଗତ ହେବେ।

ସୂଚନାଯୋଗ୍ୟ, ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ପଢୁଥିବା ଜଣେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି।

Share