ସରକାରୀ ବସ୍ କଣ୍ଡକ୍ଟର ସାଜି ଟିକେଟ୍ କାଟିଲେ ମୁଖ୍ୟମନ୍ତ୍ରୀ ବିଜୟ

Cm bijay 750x430

ଚେନ୍ନାଇ: ହଠାତ୍ ନିଜ ଆଲିସାନ୍ କାରରୁ ଓହ୍ଲାଇ ବସ୍‌ରେ ଚଢିଲେ ମୁଖ୍ୟମନ୍ତ୍ରୀ! ହାତରେ ମେସିନ୍ ଧରି ଟିକେଟ୍ କାଟିଲେ ବିଜୟ! ତାମିଲନାଡୁରେ ଗାନ୍ଧୀ ଜୟନ୍ତୀ ଦିନ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଲା, ଯାହା ବସ୍‌ରେ ଥିବା ଯାତ୍ରୀଙ୍କୁ ଚକିତ କରିଦେଇଥିଲା। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ହଠାତ୍ ସରକାରୀ ବସ୍‌ରେ ଚଢ଼ିଲେ ଏବଂ କିଛି ସମୟ ପାଇଁ ନିଜେ କଣ୍ଡକ୍ଟରଙ୍କ ଭୂମିକାରେ ଦେଖାଗଲେ। ଚେନ୍ନାଇର କୋୟମ୍ବେଡୁ ବସ୍ ଟର୍ମିନାଲରେ ‘ଭେଟ୍ରି ପୟନମ୍’ ଯୋଜନାର ବିସ୍ତାରିତ ରୂପର ଶୁଭାରମ୍ଭ କରିବାକୁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ଉଦ୍‌ଘାଟନ କେବଳ ମଞ୍ଚରେ ସୀମିତ ନଥିଲା । ମୁଖ୍ୟମନ୍ତ୍ରୀ ବିଜୟ ନିଜେ ବସ୍‌ରେ ଚଢ଼ି ଯାତ୍ରୀଙ୍କ ସହ ମିଶିଥିଲେ।

ଏହି ଦୃଶ୍ୟର ସବୁଠାରୁ ଆକର୍ଷଣୀୟ ଅଂଶ ଥିଲା ବିଜୟଙ୍କ ଟିକେଟ୍ ବାଣ୍ଟିବା। ମୁଖ୍ୟମନ୍ତ୍ରୀ ନିଜେ କଣ୍ଡକ୍ଟର ସାଜି ମହିଳା ଯାତ୍ରୀଙ୍କୁ ଜିରୋ-ଫେୟାର୍ ଟିକେଟ୍ ଦେଇଥିଲେ। ଏହା ଥିଲା ଯୋଜନାର ପ୍ରତୀକାତ୍ମକ ଶୁଭାରମ୍ଭ। ଏହି ସମୟରେ ସେ ଯାତ୍ରୀମାନଙ୍କ ସହ କଥା ହୋଇ ଯୋଜନାର ସୁବିଧା ବିଷୟରେ ମଧ୍ୟ ଜାଣିଥିଲେ। ବସ୍‌ରେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଦେଖିବା ପରେ ଯାତ୍ରୀମାନେ ମଧ୍ୟ ତାଙ୍କ ସହ କଥା ହୋଇଥିଲେ। ଖାଲି ସେତିକି ନୁହେଁ, ବସ୍‌ରେ ଥିବା କଲେଜ ଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଖୁସି ହୋଇଥିଲେ। ଟିକେଟ୍ ଦେବା ପରେ ଛାତ୍ରୀମାନେ ବିଜୟଙ୍କୁ ଡେୟରି ମିଲ୍କ ଚକୋଲେଟ୍ ଦେଇ ଧନ୍ୟବାଦ ଜଣାଇଥିଲେ । ଏହି ଛୋଟ ମୁହୂର୍ତ୍ତଟି କାର୍ଯ୍ୟକ୍ରମର ଏକ ମାନବୀୟ ଦୃଶ୍ୟ ପାଲଟିଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଛାଇଛି ।

ତେବେ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ମେଗାଷ୍ଟାର ବିଜୟ ଥାଲାପତିଙ୍କ ଲୋକଙ୍କ ସେବା କରିବାର ଅନେକ ଭିନ୍ନ ଶୈଳୀ ଏବଂ ଅନେକ ଯୋଜନା ବେଶ୍ ଚର୍ଚ୍ଚାରେ ରହିଛି । ଏହାରି ଭିତରେ ତାମିଲନାଡୁ ସରକାରଙ୍କ ଏକ ନୂଆ ଯୋଜନା ‘ଭେଟ୍ରି ପୟନମ୍’ (Vettri Payanam) ଶୁଭାରମ୍ଭ କରିଛନ୍ତି । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଦିନ ଚେନ୍ନାଇର କୋୟମ୍ବେଡୁ ବସ୍ ଟର୍ମିନାଲରୁ ମୁଖ୍ୟମନ୍ତ୍ରୀ ବିଜୟ ଏହି ବିସ୍ତାରିତ ସେବା ଆରମ୍ଭ କରିଥିଲେ। ଏହି ଯୋଜନା ମାଧ୍ୟମରେ ମହିଳା ଓ ଟ୍ରାନ୍ସଜେଣ୍ଡରମାନେ ରାଜ୍ୟ ସରକାରଙ୍କ ଅଧୀନରେ ଚାଲୁଥିବା ଅଧିକ ସଂଖ୍ୟକ ବସ୍‌ରେ ମାଗଣା ଯାତ୍ରା କରିପାରିବେ।

ସରକାରୀ ତଥ୍ୟ ଅନୁସାରେ, ଏହି ଯୋଜନାରେ ପ୍ରତିଦିନ ପ୍ରାୟ ୮୪.୩୨ ଲକ୍ଷ ମହିଳା ଲାଭ ପାଇପାରନ୍ତି। ମୋଟ ୧୨,୬୯୨ରୁ ୧୨,୬୯୫ଟି ସରକାରୀ ବସ୍ ଏହି ଯୋଜନାରେ ସାମିଲ ହୋଇଛି। ଏଥିରେ ସାଧାରଣ ବସ୍ ବ୍ୟତୀତ ଏକ୍ସପ୍ରେସ୍, ଲିମିଟେଡ୍ ଷ୍ଟପ୍ ଓ ଡିଲକ୍ସ ସେବା ମଧ୍ୟ ରହିଛି। ପୂର୍ବରୁ ମାଗଣା ଯାତ୍ରା ସୁବିଧା ମୁଖ୍ୟତଃ ନିର୍ଦ୍ଦିଷ୍ଟ ସାଧାରଣ ବସ୍‌ରେ ସୀମିତ ଥିଲା। ଫଳରେ ଅନେକ ମହିଳାଙ୍କୁ ନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ମାଗଣା ବସ୍ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା। ଏବେ ଅଧିକ ବସ୍ ସେବା ଏହି ଯୋଜନାରେ ଆସିଥିବାରୁ ସେହି ସମସ୍ୟା କମିବ ବୋଲି ସରକାର କହିଛନ୍ତି।  ସରକାରଙ୍କ କହିବା ଅନୁସାରେ, ବସ୍ ଭଡ଼ା ଯେପରି ଜଣେ ମହିଳାଙ୍କ ପାଠପଢ଼ା, ଚାକିରି, ବ୍ୟବସାୟ କିମ୍ବା ଦୈନନ୍ଦିନ ଆବଶ୍ୟକତାରେ ବାଧା ନହୁଏ, ତାହା ହେଉଛି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ବିଶେଷକରି ଘରଠାରୁ ଦୂରରେ କଲେଜ ଯାଉଥିବା ଛାତ୍ରୀ, କାର୍ଯ୍ୟସ୍ଥଳକୁ ଯାଉଥିବା ମହିଳା ଏବଂ ହସ୍ପିଟାଲ୍ କିମ୍ବା ଅନ୍ୟ ଜରୁରୀ କାମ ପାଇଁ ଯାତ୍ରା କରୁଥିବା ମହିଳାଙ୍କୁ ଏହାର ସିଧାସଳଖ ଲାଭ ମିଳିପାରେ। ଆହୁରି ମଧ୍‌ୟ ଏହି ଯୋଜନାରେ ଦିନକୁ କେତେଥର ଯାତ୍ରା କରିବେ, ସେଥିପାଇଁ କୌଣସି ସୀମା ନାହିଁ ବୋଲି ସରକାର କହିଛି।

Share