Screenshot 2025 09 11 190245 750x430 1

ଭୁବନେଶ୍ୱର: ଡାଲି ଜାତୀୟ ଫସଲରେ ଆତ୍ମନିର୍ଭର ଅଭିଯାନରେ ଓଡ଼ିଶା ହେବ ‘ବିହନ ହବ୍’। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଘନ କୃଷି କାର୍ଯ୍ୟକ୍ରମ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଲୁପ୍ତପ୍ରାୟ ଖାଦ୍ୟର ପୁନରୁଦ୍ଧାର ବିସୟରେ ଆଲୋଚନା ହୋଇଥିଲା।

ପ୍ରଧାନମନ୍ତ୍ରୀଙ୍କ ଡାଲି ଜାତୀୟ ଫସଲରେ ଆତ୍ମନିର୍ଭର ହେବା ଆହ୍ୱାନରେ ଅନୁପ୍ରାଣିତ ହୋଇ ଡାଲି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଓଡ଼ିଶା କ୍ଲଷ୍ଟର ପଦ୍ଧତି ମାଧ୍ୟମରେ ରାଜ୍ୟରେ ହରଡ଼, କଳା ଚଣା ଏବଂ ଅନ୍ୟାନ୍ୟ ଡାଲି ଜାତୀୟ ଫସଲ ଚାଷକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଛି । ICRISAT ଦ୍ୱାରା ବିକଶିତ ICPV25444 ନାମକ ଏକ ହରଡ଼ ପ୍ରଜାତି, ଯାହା ସବୁ ଋତୁରେ ଚାଷ କରାଯାଇପାରିବ।

ଏହା ୪୫ ସେଲସିୟସ୍ ପର୍ଯ୍ୟନ୍ତ ତୀବ୍ର ଉତ୍ତାପ ସହନଶୀଳ ଏବଂ ୧୨୦ ଦିନ ସମୟ ମଧ୍ୟରେ ଉତ୍ପାଦନ କରାଯାଇପାରିବା ଭଳି ପ୍ରଜାତି ବିକଶିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ଏହି ବିକଶିତ ହରଡ଼ କିସମ ସହିତ ଡଙ୍ଗରରାଣୀ ଏବଂ କାନ୍ଦୁଲ ଭଳି ପାରମ୍ପରିକ କିସମ ମଧ୍ୟ ଚାଷ କରିବାକୁ ପରାମର୍ଶ ଦେଇଛନ୍ତି । ଯାହା ଏବେ ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ୍ ଦ୍ୱାରା ବିଲୁପ୍ତ ପ୍ରାୟ କିସମ ବର୍ଗରେ ଆସୁଅଛି।

ଡାଲିରେ ଆତ୍ମନିର୍ଭର ଅଧୀନରେ ଓଡ଼ିଶା ଏକ ‘ବିହନ କେନ୍ଦ୍ର’ ହେବା ଉଚିତ ବୋଲି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ, କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା, ଉଦ୍ୟାନ ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନ, କୃଷି ବିଭାଗ, ଉଦ୍ୟାନ ନିର୍ଦ୍ଦେଶାଳୟ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ICRISAT, ICARDA ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Share