Sj 100

ନୂଆଦିଲ୍ଲୀ: ଯାତ୍ରୀବାହୀ ବିମାନ ନିର୍ମାଣ ପାଇଁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ (ହାଲ୍‌) ତରଫରୁ ରୁଷ୍‌ର ପବ୍ଲିକ ଜଏଣ୍ଟ ଷ୍ଟକ୍‌ କମ୍ପାନୀ ୟୁନାଇଟେଡ୍‌ ଏୟାରକ୍ରାଫ୍ଟ କର୍ପୋରେସନ୍‌ (ପିଜେଏସ୍‌ସି-ୟୁଏସି) ସହ ଚୁକ୍ତି କରାଯାଇଛି। ଏସ୍‌ଜେ-୧୦୦ ନାମକ ଯାତ୍ରୀବାହୀ ବିମାନ ନିର୍ମାଣ ପାଇଁ ଏହି ଚୁକ୍ତି ହୋଇଛି। ଗତ ୨୭ରେ ମସ୍କୋରେ ହାଲ୍‌ ତରଫରୁ ପ୍ରଭାତ ରଞ୍ଜନ ଓ ପିଜେଏସ୍‌ସି-ୟୁଏସି ତରଫରୁ ଓଲେଗ୍‌ ବୋଗୋମୋଲୋଭ୍‌ ଚୁକ୍ତିରେ ସ୍ବାକ୍ଷର କରିଥିଲେ। ଏହି ସମୟରେ ହାଲ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଡ. ଡିକେ ସୁନୀଲ ଏବଂ ୟୁଏସିର ମହାନିର୍ଦେଶକ ଭାଦିମ୍‌ ବାଦେଖା ଉପସ୍ଥିତ ଥିଲେ।

ଏହି ଚୁକ୍ତି ଭାରତୀୟ ବେସାମାରିକ ବିମାନ ଚଳାଚଳ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ବିଶେଷ କରି ଭାରତ ସରକାରଙ୍କ ଉଡାଣ ଯୋଜନାରେ ବିଭିନ୍ନ ସହରକୁ ବିମାନ ସେବା ଯୋଗାଇ ଦେବା ନିମନ୍ତେ ଏହି ଏସ୍‌ଜେ-୧୦୦ ଯାତ୍ରୀବାହୀ ବିମାନ ବେଶ୍‌ ସହାୟକ ହେବ। ଦୁଇ ଇଞ୍ଜିନ ବିଶିଷ୍ଟ ୨୦୦ରୁ ଊର୍ଦ୍ଧ୍ବ ଏସ୍‌ଜେ-୧୦୦ ବିମାନ ବର୍ତ୍ତମାନ ସମୟରେ ବିଶ୍ବର ୧୬ଟି ଏୟାରଲାଇନ୍ସ ବ୍ୟବହାର କରୁଛନ୍ତି। ଏହି ବିମାନରେ ୧୦୩ଜଣ ଯାତ୍ରୀ ବସି ପାରିବାର ବ୍ୟବସ୍ଥା ରହିଛି। ଏହି ବିମାନ ଚଳାଳଚ ପାଇଁ କମ୍‌ ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ଏହା ବେଶ୍‌ ଜଳବାୟୁ ଅନୁକୂଳ। ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଆସନ୍ତା ଡିସେମ୍ବରରେ ଭାରତ ଆସିବାର କାର୍ଯ୍ୟକ୍ରମ ଥିବା ବେଳେ ଏହି ଚୁକ୍ତିକୁ ଗୁରୁତ୍ବପୂର୍ଣ୍ଣ ଭାବେ ପରିଗଣିତ କରାଯାଉଛି। ଭାରତ ଓ ରୁଷ୍‌ ମଧ୍ୟରେ ଥିବା ଅର୍ଥନୈତିକ ସମ୍ପର୍କର ଏହା ଏକ ନିଦର୍ଶନ ବୋଲି ଦର୍ଶାଯାଇଛି।

Share