ଉତ୍ତରପ୍ରଦେଶ: ଆଜି ସକାଳେ ଉତ୍ତର ପ୍ରଦେଶର ଆମ୍ବେଦକର ନଗରରୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଜୈତପୁର ଥାନା ଅଞ୍ଚଳରେ ଗୋରଖପୁର ଲିଙ୍କ ଏକ୍ସପ୍ରେସୱେରେ ଏକ ବସ୍ ଏକ ଟ୍ରେଲରକୁ ପଛପଟୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି ।
ସୂଚନାନୁଯାୟୀ, ଗୋରଖପୁର ଲିଙ୍କ ଏକ୍ସପ୍ରେସୱେର ୮୫ କିଲୋମିଟର ନିକଟରେ ଏହି ଦୁର୍ଘଟଣା ଘଟିଛି । ଭଲଭୋ ବସ୍ ଟି ଲକ୍ଷ୍ନୌରୁ ଗୋରଖପୁର ଅଭିମୁଖେ ଯାତ୍ରା କରୁଥିଲା । ସେହି ସମୟରେ ବସଟି ପଛରୁ ଏକ ଟ୍ରେଲରକୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରରେ ଥିଲା ଯେ ବସ୍ର ସମ୍ମୁଖ ଭାଗ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଆହତ ହୋଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ଲୋକ ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଜୈତପୁର ପୋଲିସ ଷ୍ଟେସନ ଘଟଣାସ୍ଥଳରେ ପହଞ୍ଚିଥିଲା । ଦୁର୍ଘଟଣା ଯୋଗୁଁ ଏକ୍ସପ୍ରେସୱେରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ପୋଲିସ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଆହତମାନଙ୍କୁ ବସ୍ରୁ ଉଦ୍ଧାର କରାଯାଇଥିଲା । ସେମାନଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ତୁରନ୍ତ ହସ୍ପିଟାଲକୁ ପଠାଯାଇଥିଲା । ଏବେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଅନ୍ୟପଟେ ଦୁର୍ଘଟଣାର କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି । ଏଥିସହ ମୃତକ ଏବଂ ଆହତମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଛି ।
