Whatsapp image 2025 10 31 at 1.17.41 pm 1068x572

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୂର୍ବାହ୍ନ ୧୦ଟା ସମୟରେ ରାଜୀବ ଭବନସ୍ଥିତ ଜଳ ସମ୍ପଦ ବିଭାଗ ପରିଦର୍ଶନ କରି ବିଭାଗର ବିସ୍ତୃତ କାର୍ଯ୍ୟାବଳୀ ସମ୍ପର୍କରେ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ବିଭାଗରେ ପହଞ୍ଚି ପ୍ରଥମେ ଅଷ୍ଟମ ମହଲାସ୍ଥିତ ରାଜ୍ୟ ଜଳ ବିଜ୍ଞାନ ତଥ୍ୟ କେନ୍ଦ୍ର ଯାଇ ସେଠାରେ ରାଜ୍ୟରେ ବିଭିନ୍ନ ଜଳ ଭଣ୍ଡାର ଓ ନଦୀ ଗୁଡିକରେ ଜଳ ସ୍ଥିତି ଅନୁଧ୍ୟାନ କରିବା ସହିତ ଏହାର କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ବୁଝିଥିଲେ।

ସୂଚନାଯୋଗ୍ୟ ଯେ, ରାଜ୍ୟ ଜଳ ବିଜ୍ଞାନ ତଥ୍ୟ କେନ୍ଦ୍ରର ତଥ୍ୟ ଅନୁଯାୟୀ ରିୟଲ ଟାଇମ ଭିତ୍ତିରେ ରାଜ୍ୟରେ ଜଳ ପରିଚାଳନା କରାଯାଇଥାଏ। ଏହା ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉପବିଭାଗ ପରିଦର୍ଶନ କରି ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀମାନଙ୍କ ସହିତ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ କହିଥିଲେ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ପୂରଣ ପାଇଁ ଆପଣମାନେ ଆହୁରି ପ୍ରତିବଦ୍ଧତାର ସହ କାମ କରନ୍ତୁ ।

ପରିଦର୍ଶନ ପରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୯-୩୦ ସୁଦ୍ଧା ରାଜ୍ୟରେ ୧୫ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥିସହିତ କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ଜଳ ପହଞ୍ଚାଇବାକୁ ଆମେ ସୁନିଶ୍ଚିତ କରୁଛୁ। ଏହାକୁ ଦୃଷ୍ଟିରେ ରଖି ବିଭାଗକୁ ଆହୁରି ସୁଦକ୍ଷ ଓ ସ୍ମାର୍ଟ କାର୍ଯ୍ୟାଳୟରେ ପରିଣତ କରାଯିବ।

ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର ପାଢୀ ଏବଂ ବିଭାଗୀୟ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Share