Crocodile 1068x601

ପଟ୍ଟାମୁଣ୍ଡାଇ: ପୁଣି ପଟ୍ଟାମୁଣ୍ଡାଇରେ କୁମ୍ଭୀର ଆତଙ୍କ। ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ୧୫ନଂ ୱାର୍ଡ ଅଳଭା ଗ୍ରାମରେ ବିଶ୍ୱନାଥ ନାୟକଙ୍କ ପୋଖରୀରୁ ଧରାହୋଇଛି ୧୦ ଫୁଟ ଲମ୍ବର କୁମ୍ଭୀର। ବନ ବିଭାଗ କର୍ମଚାରୀ କୁମ୍ଭୀରକୁ ଧରିନେଇଛନ୍ତି।

ସୂଚନା ମୁତାବକ, ଗୁରୁବାର ବିଳମ୍ବିତ ରାତିରେ ରାଜନଗର-ପଟ୍ଟାମୁଣ୍ଡାଇ ମୁଖ୍ୟ ରାସ୍ତାର ଅଳଭା ଗାଁ ନିକଟରେ ଏକ ବିରାଟ କୁମ୍ଭୀର ଶୋଇଥିବା ଜଣେ ଟ୍ରକ ଚାଳକ ଦେଖି ଟ୍ରକ ଅଟକାଇ ଥିଲେ। ସ୍ଥାନୀୟ ଲୋକେ ଆସିଯିବାରୁ କୁମ୍ଭୀରଟି ନିକଟରେ ଥିବା ପୋଖରୀକୁ ପଶିଯାଇଥିଲା। ଶୁକ୍ରବାର ସକାଳୁ କୁମ୍ଭୀର ଭାସୁଥିବା ଖବର ପାଇ ଲୋକଙ୍କ ଭିଡ଼ ଲାଗିବା ସହିତ ବନ ବିଭାଗକୁ ଖବର ଦେଇଥିଲେ। ପୋଖରୀରେ ଛଡା ଯାଇଥିବା ଲକ୍ଷାଧିକ ଟଙ୍କାର ମାଛକୁ କୁମ୍ଭୀର ଖାଉଥିବା ନେଇ ଅଭିଯୋଗ କରିଛନ୍ତି ମାଛ ଚାଷୀ। ଏ ନେଇ ବନ ବିଭାଗ କ୍ଷତି ପୂରଣ ଦେବା ପାଇଁ ଦାବି ହୋଇଛି। ତେବେ ବ୍ରାହ୍ମଣୀରେ କୁମ୍ଭୀର ଆତଙ୍କ ଲାଗି ରହିଥିବା ବେଳେ ଏବେ କୁମ୍ଭୀର ଗାଁ ମୁହାଁ ହୋଇଥିବାରୁ ସାଧାରଣ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଅନ୍ୟପଟେ ବନ ବିଭାଗ ଅଧିକାରୀ ଗାଁରେ ପହଞ୍ଚି ଜାଲ ଦ୍ୱାରା କୁମ୍ଭୀରକୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା କୁମ୍ଭୀରକୁ ଡାଙ୍ଗମାଳ ସେକ୍ସନରେ ଛଡ଼ାଯିବ ବୋଲି ସୂଚନା ଦେଇଛନ୍ତି ଫରେଷ୍ଟର ପ୍ରଦୀପ୍ତ କୁମାର ସ୍ୱାଇଁ।

Share