Presentation1

ଡୋଡୋମା: ରାଷ୍ଟ୍ରପତି ନିର୍ବାଚନରେ ଦେଖାଦେଇଥିବା ଅନିୟମିତତାକୁ କେନ୍ଦ୍ରକରି ଆଫ୍ରିକୀୟ ରାଷ୍ଟ୍ର ତାଞ୍ଜାନିଆରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶିତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହା ହିଂସାର ରୂପ ନେଇଥିଲା। ପୁଲିସ ସହ ସଂଘର୍ଷରେ ପ୍ରାୟ ୭୦୦ ଲୋକ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ବିରୋଧୀ ଦଳର ପ୍ରାର୍ଥୀଙ୍କୁ ନିର୍ବାଚନ ଲଢିବାରୁ ବଞ୍ଚିତ କରାଯାଇଥିବାରୁ ଏହାର ପ୍ରତିବାଦରେ ତାଙ୍କର ସମର୍ଥକମାନେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିବା କୁହାଯାଇଛି। ହିଂସା ପରିପ୍ରେକ୍ଷୀରେ ଦେଶର ଡାର୍‌-ଏସ୍‌-ସଲାମ, ମୱାନ୍‌ଜା ଓ ଆରୁଶା ଭଳି ଏକାଧିକ ଗୁରୁତ୍ବପୂର୍ଣ୍ଣ ସହରରେ କର୍ଫ୍ୟୁ ଜାରି କରାଯାଇଛି। ଇଣ୍ଟରନେଟ ସେବାକୁ ବାତିଲ କରାଯାଇଥିବାବେଳେ ରାସ୍ତରେ ସେନା ଯବାନ ପଇଁତରା ମାରୁଛନ୍ତି। ୨୦୨୧ରେ କ୍ଷମତାକୁ ଆସିବା ପରଠାରୁ ରାଷ୍ଟ୍ରପତି ସାମିଆ ସୁଲୁହୁ ହାସାନ ଏକଛତ୍ରବାଦ ଶାସନ ଚଳାଉଥିବା ଅଭିଯୋଗ ହୋଇଛି। ମୁଖ୍ୟ ବିରୋଧୀ ଦଳ ଚାଡେମାର ନେତା ଟୁଣ୍ଡୁ ଲିସୁ ବର୍ତ୍ତମାନ ଜେଲରେ ଥିବାବେଳେ ଅନ୍ୟତମ ପ୍ରତିଦ୍ବନ୍ଦ୍ବୀ ଲୁହାଗା ଏମ୍‌ପିନାଙ୍କ ପ୍ରାର୍ଥିପତ୍ରକୁ ନାକଚ କରାଯାଇଛି।

ସୂଚନାଯୋଗ୍ୟ ଗତ ବୁଧବାର ଦେଶରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରପତି ସାମିଆ ଏଥିରେ ପ୍ରତିଦ୍ବନ୍ଦ୍ବିତା କରୁୁଥିବାବେଳେ ବିରୋଧୀ ଦଳର ଦୁଇ ଜଣ ପ୍ରତିଦ୍ବନ୍ଦ୍ବୀଙ୍କୁ ନିର୍ବାଚନ ଲଢିବାରୁ ବଞ୍ଚିତ କରାଯାଇଥିଲା। ବାଲଟ୍‌ ପେପରରେ ବିରୋଧୀ ପ୍ରାର୍ଥୀଙ୍କ ନାମ ନ ଥିବାରୁ ସେମାନଙ୍କର ସମର୍ଥକମାନେ ଉତ୍‌କ୍ଷିପ୍ତ ହୋଇପଡିଥିଲେ। ବୁଧବାରଠାରୁ ତାଞ୍ଜାନିଆର ବିଭିନ୍ନ ସହରରେ ଲୋକେ ରାସ୍ତାକୁ ଓହ୍ଲାଇ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ବ୍ୟାପକ ପୋଡାଜଳା ମଧ୍ୟ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ପୁଲିସ ପକ୍ଷରୁ ପ୍ରଥମେ ଲାଠିଚାଳନା ଓ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା। ତେବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ସେନାକୁ ମୁତୟନ କରାଯାଇଥିଲା। ସେନା ଯବାନଙ୍କ କାର୍ଯ୍ୟାନୁଷ୍ଠାନରେ ୭୦୦ ଲୋକଙ୍କର ପ୍ରାଣହାନି ଘଟିଥିବା ଜଣାପଡିଛି। ଡାର୍‌-ଏସ୍‌-ସଲାମରେ ସର୍ବାଧିକ ୩୫୦ ବିକ୍ଷୋଭକାରୀ ପ୍ରାଣ ହରାଇଥିବାବେଳେ ମୱାନ୍‌ଜାରେ ୨୦୦ ଲୋକଙ୍କର ମୃତ୍ୟୁ ଘଟିଛି। କର୍ଫ୍ୟୁ ସତ୍ତ୍ବେ ବୁଧବାର ଲୋକେ ପୁଣି ରାସ୍ତାକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ନିର୍ବାଚନ ଫଳାଫଳ ଘୋଷଣା ନ କରିବାକୁ ନିର୍ବାଚନ କମିସନଙ୍କ ନିକଟରେ ଦାବି ଜଣାଇଛନ୍ତି। ସୂଚନାଯୋଗ୍ୟ ୧୯୬୧ରେ ସ୍ବାଧୀନତା ପାଇବା ପରଠାରୁ ତାଞ୍ଜାନିଆରେ ସିସିଏମ (ଛାମା ଛା ମାପିଣ୍ଡୁଜି) ଦଳ କ୍ଷମତା ହାସଲ କରିଆସୁଛି।

Share