ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ, ଭାରତ ସରକାରଙ୍କ “ସାଗରମାଳା, ଗତିଶକ୍ତି ଓ ନ୍ୟାସନାଲ୍ ଲଜିଷ୍ଟିକ୍ ପଲିସି” ଯୋଜନା ସହ ସମନ୍ୱୟ କରି ଓଡ଼ିଶାରେ ବନ୍ଦର ଭିତ୍ତିକ ଅର୍ଥନୀତି ଗଢ଼ାଯାଇଛି। ରାଜ୍ୟ ସରକାର ତଟବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ କୋଷ୍ଟାଲ୍ ଇକୋନୋମିକ୍ ଜୋନ ସ୍ଥାପନ ପାଇଁ ଉଦ୍ୟମ କରୁଛି। ସେ କହିଲେ ଯେ, “ମୋଦୀଜୀଙ୍କ ଦୃଢ ନେତୃତ୍ୱରେ ଭାରତ ନୌବାଣିଜ୍ୟରେ ନୂତନ ଯୁଗକୁ ପ୍ରବେଶ କରିଛି ଓ ‘ମାରି-ଟାଇମ୍ ଅମୃତକାଲ୍ ଭିଜନ ୨୦୪୭’ ଅନୁଯାୟୀ ଦେଶର ବନ୍ଦରମାନେ ବିଶ୍ୱସ୍ତରୀୟ ହେବେ।”
କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଥିଲେ ଯେ, ରାଜ୍ୟ ସରକାର ବନ୍ଦରକୁ କେନ୍ଦ୍ର କରି ଶିଳ୍ପ, ଆଧାରଭୂତ ସଂରଚନା, ନିଯୁକ୍ତି ସୃଷ୍ଟି ଓ ଦକ୍ଷତା ବିକାଶରେ ବିଶେଷ ଗୁରୁତ୍ୱ ଦେଉଛି। ପାରାଦୀପ ବନ୍ଦରର ବିକାଶ ମାତ୍ର ଓଡ଼ିଶାକୁ ନୁହେଁ, ସମଗ୍ର ଭାରତର ମାରିଟାଇମ୍ ଅର୍ଥନୀତିକୁ ଶକ୍ତିଶାଳୀ କରୁଛି। ପାରାଦୀପ ଆଜି କେବଳ ଏକ ବନ୍ଦର ନୁହେଁ, ଏହା ଓଡ଼ିଶାର ଅସୀମ ସମ୍ଭାବନା ଓ ନୂଆ ଭାରତ ଗଢ଼ିବାର ଶକ୍ତିର ପ୍ରତୀକ, ବୋଲି ସେ ଉଲ୍ଲେଖ କଲେ।
ଜଗତସିଂହପୁର ସାଂସଦ ଡଃ ବିଭୁ ପ୍ରସାଦ ତରାଇ କହିଥିଲେ ଯେ, ଭବିଷ୍ୟତରେ ପାରାଦୀପ ବନ୍ଦରକୁ କେନ୍ଦ୍ର କରି ଏଠାରେ ଅନେକ ନୂତନ ଶିଳ୍ପ, ଶିକ୍ଷା ଓ ପରିବହନ ଆଧାରିତ ପ୍ରକଳ୍ପ ଆସିବ, ଯାହା ଜଗତସିଂହପୁର ଓ ସମଗ୍ର ଓଡ଼ିଶାର ଅର୍ଥନୀତିକ ମାନଚିତ୍ରକୁ ପରିବର୍ତ୍ତନ କରିଦେବ। ପାରାଦୀପର ସଫଳତା ହେଉଛି ଓଡ଼ିଶାର ଗର୍ବ ଓ ଭବିଷ୍ୟତର ଆଶା ବୋଲି ସେ ତାଙ୍କ ଅଭିଭାଷଣ ଶେଷ କଲେ।
ଗତ ଚାରି ବର୍ଷ ଧରି ପାରାଦୀପ ବନ୍ଦର ନିରନ୍ତର ଭାବେ ନୂତନ ରେକର୍ଡ ସୃଷ୍ଟି କରିଛି ଓ ପୂର୍ବ ପଚାଶ ବର୍ଷର ସଫଳତାକୁ ଅତିକ୍ରମ କରିଛି। କ୍ଷମତା ବୃଦ୍ଧି, ବ୍ୟବସାୟିକ ପଦ୍ଧତିର ଉନ୍ନତି, ଦକ୍ଷତା ବିକାଶ ଓ ସମସ୍ତଙ୍କଠାରୁ ଅଧିକ “ଟିମ୍ ପାରାଦୀପ”ର ଅକ୍ଳାନ୍ତ ଶ୍ରମ ଓ ସମର୍ପଣର ଫଳରେ, ପାରାଦୀପ ବନ୍ଦର ଆଜି ଦେଶର ନମ୍ବର ଏକ ବନ୍ଦର ଭାବେ ପରିଚିତ ହୋଇଛି ବୋଲି ପାରାଦୀପ ବନ୍ଦର ଅଧ୍ୟକ୍ଷ ଶ୍ରୀ ପି. ଏଲ୍.ହରନାଧ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଜେ.ସୋନାଲ, କେନ୍ଦ୍ରାଞ୍ଚଳ ଡ଼ି. ଆଇ. ଜି ଡଃ ସତ୍ୟଜିତ ନାଏକ ପ୍ରମୁଖ ମଂଚାସୀନ ଥିବା ବେଳେ, ପାରାଦୀପ ବନ୍ଦର ଉପାଧ୍ୟକ୍ଷ ଶ୍ରୀ ଅଲେଖ ଚରଣ ସାହୁ ଧନ୍ୟବାଦ ଦେଇଥିଲେ।

