ବ୍ରହ୍ମପୁର: ଗ୍ରୀନ୍ ଇଣ୍ଡିଆ ଚିଟଫଣ୍ଡ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସିଂଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢାଉ ହୋଇଛି । ଆଜି ଇଡିର ୬ ଜଣିଆ ଦଳ ବ୍ରହ୍ମପୁର ଆଯୋଧ୍ୟାନଗର ୨ୟ ଲାଇନ୍ ସ୍ଥିତ ପ୍ରଦୀପଙ୍କ ବାସ ଭବନରେ ପହଞ୍ଚି ପଚରା ଉଚରା କରୁଛନ୍ତି । ସେହିପରି ଜୟପ୍ରକାଶ ନଗର ଛକ ନିକଟରେ ଥିବା ଏକ ବିଲଡର ସଂସ୍ଥାରେ ମଧ୍ୟ ଚଢାଉ କରାଯାଇଛି । ଜମି କାରବାରରେ କୋଟି କୋଟି ଟଙ୍କାର ହେରଫେର ଅଭିଯୋଗରେ ଇଡି ପକ୍ଷରୁ ଏହି ଚଢାଉ ହୋଇଥିବା ସୂଚନା ମିଳିଛି । ପ୍ରକାଶ ଥାଉକି ଗ୍ରୀନ୍ ଇଣ୍ଡିଆ ଚିଟ ଫଣ୍ଡ ସଂସ୍ଥାର ଆର୍ଥିକ ଠକେଇ ସାମ୍ନାକୁ ଆସିବା ପରେ ପ୍ରଦୀପ ସିଂ ଗିରଫ ହୋଇ ଜେଲରେ ଥିଲା । ବର୍ତମାନ ସେ ଜାମିନରେ ଅଛନ୍ତି । ନିକଟରେ ତାଙ୍କ ନାମରେ ବୈଦ୍ୟନାଥପୁର ଥାନାରେ ଏକାଧିକ ଆର୍ଥିକ ଠକେଇ ମାମଲା ରୁଜୁ ହୋଇଥିଲା ।

