ଏହା ପରେ ଭିଜିଲାନ୍ସ ପକ୍ଷରୁ ବିପ୍ଳବଙ୍କର ୩ଟି ଠିକଣାରେ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଭିଜିଲାନ୍ସ ଅଧିକାରୀମାନେ ଆୟ ବହିର୍ଭୁତ ସମ୍ପତ୍ତିର ଯାଞ୍ଚ କରିଛନ୍ତି। ବିପ୍ଳବଙ୍କ ଘରୁ ୧୦ଟି ପ୍ଲଟ ସମ୍ବନ୍ଧୀୟ କାଗଜପତ୍ର, ଭୁବନେଶ୍ଵରରେ ଏକ ୩ ମହଲା କୋଠା, ଭୁବନେଶ୍ଵରର ମଦନପୁରରେ ଏକ ମହଲା କୋଠା ଏବଂ ୩ ଏକର ଜାଗା ପରିମିତ ଫାର୍ମହାଉସ ଠାବ କରାଯାଇଛି। ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି।
କେନ୍ଦୁଝର: ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି କେନ୍ଦୁଝର ଡିଏସଏସଓ(ଜିଲା ସାମାଜିକ ନିରାପତ୍ତା ଅଧିକାରୀ) ବିପ୍ଳବ କେଶରୀ ସାମନ୍ତରାୟ। ବିପ୍ଳବ ଏକ ଏନଜିଓଠାରୁ ଏହି ଲାଞ୍ଚ ଅର୍ଥ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।
ସୂଚନା ଅନୁସାରେ, ସରକାରଙ୍କ ସାମାଜିକ ନିରାପତ୍ତା ଯୋଜନା ଅଧୀନରେ ବେସରକାରୀ ଅନୁଷ୍ଠାନ ବା ଏନଜିଓଗୁଡ଼ିକର ବିଲ୍ କ୍ଲିଅର କରିବା ଲାଗି ବିପ୍ଳବ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ନିକଟରେ ସେ ଏକ ଏନଜିଓଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏ ନେଇ ସମ୍ପୃକ୍ତ ଏନଜିଓ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲା। ଯୋଜନା ଅନୁସାରେ, ବିପ୍ଳବ ଫୋନ ପେ’ ଜରିଆରେ ୨୦ ହଜାର ଟଙ୍କା ନେବା ସମୟରେ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ।

