Untitled 2025 11 07t070146 1762650299

ପାଟନା: ବିହାରର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ରବିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟର ୨୦ଟି ଜିଲାର ୧୨୨ଟି ଆସନ ପାଇଁ ମଙ୍ଗଳବାର ଭୋଟ ଗ୍ରହଣ ହେବ। ନଭେମ୍ବର ୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ନଭେମ୍ବର ୧୪ରେ ଭୋଟ ଗଣତି ହେବ। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ଦିନରେ ମହାମେଣ୍ଟ ଓ ଏନଡିଏ ପକ୍ଷରୁ ପ୍ରଚାର ଜୋରଦାର କରାଯାଇଥିଲା। ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ ଆଜି ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ନିଜର ୩୬ତମ ଜନ୍ମଦିନ ପାଳନ କରିଥିଲେ। ଜନ୍ମଦିନ ପାଇଁ ତେଜସ୍ବୀଙ୍କୁ ଦଳୀୟ କର୍ମୀଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଯାଇଥିଲା।

ଅନ୍ୟପଟେ ତେଜସ୍ବୀ ପ୍ରତିଶ୍ରୁତି ଦେଇଛନ୍ତି ଯେ ତାଙ୍କ ମେଣ୍ଟ କ୍ଷମତାକୁ ଆସିଲେ ସମସ୍ତଙ୍କୁ ରିଟର୍ଣ୍ଣ ଗିଫ୍ଟ ପ୍ରଦାନ କରିବେ। ଏହି ଅବସରରେ ଦିନାରାରେ ଆୟୋଜିତ ରାଲିକୁ ସମ୍ବୋଧନ କରି ତେଜସ୍ବୀ ଏନଡିଏ ସରକାରକୁ ରାଜ୍ୟରୁ ବିତାଡିତ କରିବାକୁ ଆହ୍ବାନ ଦେଇଥିଲେ। ତେଜସ୍ବୀଙ୍କୁ ତାଙ୍କ ବଡ ଭାଇ ତଥା ଜନଶକ୍ତି ଜନତା ଦଳ (ଜେଜେଡି) ପାର୍ଟି ମୁଖ୍ୟ ତେଜପ୍ରତାପ ଯାଦବ ତାଙ୍କର ଆର୍ଶୀବାଦ ପ୍ରଦାନ ପୂର୍ବକ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ତେଜପ୍ରତାପଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୱାଇ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି। ମହାମେଣ୍ଟ ପକ୍ଷରୁ ଅଖିଳେଶ ଯାଦବ, ରାହୁଲ ଗାନ୍ଧୀ ମଧ୍ୟ ଆଜି ନିର୍ବାଚନ ପ୍ରଚାର କରିଛନ୍ତି। ଏନଡିଏ ମେଣ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀ

ନୀତୀଶ କୁମାର ଓ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ରବିବାର ନିର୍ବାଚନ ପ୍ରଚାର କରିଛନ୍ତି। ଅରୱାଲରେ ନିର୍ବାଚନ ରାଲିିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଶାହା କହିଥିଲେ ଯେ ଦେଶର ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବାକୁ ରାହୁଲ ଅନେକ ପଦଯାତ୍ରା କରୁଛନ୍ତି। ବିହାରର ଯୁବକଙ୍କ ତୁଳନାରେ ବାଂଲାଦେଶର ଅନୁପ୍ରବେଶକାରୀଙ୍କ ସ୍ବାର୍ଥକୁ ରାହୁଲ ବେଶୀ ଗୁରୁତ୍ବ ଦେଉଛନ୍ତି। ରାହୁଲ ଯେତେ ପଦଯାତ୍ରା କଲେ ମଧ୍ୟ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେଇପାରିବେ ନାହିଁ। ବିହାର ସମେତ ଦେଶରୁ ପ୍ରତିଟି ଅନୁପ୍ରବେଶକାରୀଙ୍କୁ ବିତାଡିତ କରିବା ଲାଗି ତାଙ୍କ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଶାହା କହିଥିଲେ। ସେହିପରି କଂଗ୍ରେସକୁ ସମାଲୋଚନା କରି ସେ କହିଥିଲେ ଯେ ଯେତେବେଳେ ଦେଶରେ ସୋନିଆ, ମନମୋହନ ଓ ଲାଲୁପ୍ରସାଦଙ୍କ ଶାସନ ଚାଲିଥିଲା ସେତେବେଳେ ଆତଙ୍କବାଦୀମାନେ ଭାରତ ମଧ୍ୟକୁ ପ୍ରବେଶ ପୂର୍ବକ ଆକ୍ରମଣ ଘଟାଇବାର ସାହସ ପାଉଥିଲେ। ମାତ୍ର ଏବେ ନରେନ୍ଦ୍ର ମୋଦୀ ସରକାରରେ ଭାରତ ସେନା ପାକିସ୍ତାନର ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରୁଛି।

Share