Recent photo 1754405097

ପୁରୀ: ଦିଲ୍ଲୀରେ ବିସ୍ଫୋରଣ ପରେ ଓଡିଶାରେ ହାଇ ଆଲର୍ଟ ଜାରି ହୋଇଛି। ପୁଲିସ୍‌ ବିଭାଗ ସହ ଆଲୋଚନା କରି ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଶ୍ରୀମନ୍ଦିର ପାଇଁ ସ୍ଵତନ୍ତ୍ର ଭାବେର ସୁରକ୍ଷାକୁ ଅଧିକ ମାତ୍ରାରେ ବୃଦ୍ଧି କରାଯାଇଛି। ରାଜ୍ୟର ସମସ୍ତ ରେଲଓ୍ବେ ଷ୍ଟେସନ, ବିମାନ ବନ୍ଦରରେ ମଧ୍ୟ ସୁରକ୍ଷା ବୃଦ୍ଧି କରାଯାଇଛି। ସମସ୍ତ ପର୍ଯ୍ୟଟନସ୍ଥଳୀ ଏବଂ ସ୍ଥପତି ନିକଟରେ ମଧ୍ୟ ସୁରକ୍ଷା ବଢାଯିବ। ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଚେକିଂ ଜୋରଦାର କରିବାକୁ ନିର୍ଦେଶ ଦିଆଯାଇଛି। ଓଡିଶା ଉପରେ ବିପଦ ନାହିଁ , ଆମେମାନେ ସୁରକ୍ଷିତ ଅଛୁ। ସମସ୍ତ ବିପଦର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

ଶ୍ରୀଜଗନ୍ନାଥ ମନ୍ଦିର ଚାରି ପ୍ରବେଶ ଦ୍ବାରରେ ସୁରକ୍ଷା ଯାଞ୍ଚ କଡ଼ାକଡ଼ି କରାଯାଇଛି। ବୋମା ନିଷ୍କ୍ରିୟକାରୀ ଦଳ ଓ ସନ୍ଧାନୀ କୁକୁର ମନ୍ଦିର ଚାରିପଟେ ତନଖି କରୁଛନ୍ତି। ୱାଚ୍‌ ଟାୱାରଗୁଡ଼ିକରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ରେଳ ଷ୍ଟେସନ ଓ ପୌର ବସ୍‌ଷ୍ଟାଣ୍ଡରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀରେ ପ୍ରବେଶ କରୁଥିବା ଗାଡ଼ିଗୁଡ଼ିକୁ ଅଟକାଇ ଯାଞ୍ଚ କରାଯାଉଛି। ହୋଟେଲଗୁଡ଼ିକରେ ଅବସ୍ଥାନ କରୁଥିବା ପର୍ଯ୍ୟଟକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଛି। ସତର୍କ ରହିବାକୁ ଜିଲାର ସବୁ ଥାନା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ମନ୍ଦିର ଚାରିପଟେ ଆତଙ୍କବାଦୀ ନିରୋଧୀ ଗାଡ଼ି ପଇଁତରା ମାରୁଛି। ସନ୍ଦିଗ୍ଧ ସ୍ଥାନ ଓ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

Share