Court order

କଟକ : କଟକ ସ୍ୱତନ୍ତ୍ର ପୋକସୋ କୋର୍ଟ ଜନୈକା ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହିତ ଦୋଷୀକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । ସଶ୍ରମ କାରାଦଣ୍ଡ ସହିତ ୫୦ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଜରିମାନା ଅନାଦେୟ ଅଧିକ ଦୁଇ ବର୍ଷ ଜେଲଦଣ୍ଡ ଭୋଗିବ ବୋଲି ନିର୍ଦ୍ଦେଶ ରହିଛି। ପିଡ଼ିତା କ୍ଷତିପୂରଣ ଆଇନ ଅନୁଯାୟୀ ପିଡ଼ିତାକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୁକ୍ତ ୨୧ ବର୍ଷୀୟ ବିଘ୍ନେଶ୍ୱର ଦାସ କଟକ ସ୍ୱତନ୍ତ୍ର ପୋକସୋ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛି।

ଗତ ୨୦୨୪ ମସିହା ଜାନୁଆରୀ ୧୭ ତାରିଖରେ ଜଗତପୁର ଥାନାରେ ଏଭଳି ଏକ ଘଟଣା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପିଡ଼ିତା ନାବାଳିକା କଟକ ସହରରେ ଏକ ପ୍ରତିଷ୍ଠିତ ସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲା। ଦୋଷୀ ବିଘ୍ନେଶ୍ୱର ତାକୁ ପ୍ରେମ ଜାଲରେ ଫସାଇ ବିଭିନ୍ନ ସ୍ଥାନକୁ ନେଇ ଦୈହିକ ସମ୍ପର୍କ ରଖିଥିଲା। ଏକାଧିକ ହୋଟେଲକୁ ନେବା ସହିତ ନିକାଞ୍ଚନ ସ୍ଥାନକୁ ନେଇ ବିବାହର ପ୍ରତିଶ୍ରୁତି ଦେଇ ତା ସହିତ ସମ୍ପର୍କ ରଖିଥିଲା।

ପିଡ଼ିତାର ଅଜାଣତରେ ତାର ଅଶ୍ଳୀଳ ଭିଡିଓ କରି ତାକୁ ଦୁଇ ଲକ୍ଷ ଟଙ୍କା ମାଗିଥିଲା। ନଚେତ ଭିଡିଓ ଭାଇରଲ କରିବ ବୋଲି ଧମକ ଦେବା ସହିତ ସାମାଜିକ ଗଣମାଧ୍ୟମରେ ସେହି ଭିଡିଓ ଛାଡି ଦେଇଥିଲା। ଏହାପରେ ପରିବାର ପକ୍ଷରୁ ଏ ନେଇ ଜଗତପୁର ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ୨୦୨୪ ଏପ୍ରିଲ ୧୦ ତାରିଖରେ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଥିଲା।

୨୦୨୪ ଅକ୍ଟୋବର ୨୮ ତାରିଖରେ ଅଭିଯୁକ୍ତ ବିରୋଧରେ ପୋକସୋ କୋର୍ଟରେ ଚାର୍ଜଫ୍ରେମ ହୋଇଥିଲା। ୨୦୨୪ ଡିସେମ୍ବର ୧୧ ତାରିଖରେ ମାମଲାର ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା। ଗତ ଅକ୍ଟୋବର ୩୦ ତାରିଖରେ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ଅଦାଲତ। ୧୪ ଜଣ ସାକ୍ଷୀଙ୍କ ବୟାନ ଓ ୨୬ ଟି ତଥ୍ୟ ପ୍ରମାଣ ଆଧାରରେ ପୋକସୋ କୋର୍ଟ ଏହି ଦଣ୍ଡବିଧାନ କରିଛନ୍ତି। ସ୍ୱତନ୍ତ୍ର ସରକାରୀ ଓକିଲ ରମେଶ ଚନ୍ଦ୍ର ମହାନ୍ତି ଓ ବିଶ୍ୱଜିତ ରାୟ ଏହି ମାମଲା ପରିଚାଳନା କରୁଥିଲେ।

Share