ଭୁବନେଶ୍ୱର: ନୂଆ ବର୍ଷର ପ୍ରଥମ ଦିନରେ ଘନ କୁହୁଡ଼ିରେ ଘୋଡ଼ାଇ ହୋଇପଡିଥିଲା ରାଜଧାନୀ। ଯାହା ଫଳରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା। ଆଉ ଏଥିପାଇଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ବିମାନବନ୍ଦର ଅଧିକାରୀଙ୍କ ଅନୁଯାୟୀ, କମ ଦୃଶ୍ୟମାନତା ଯୋଗୁଁ ୫ଟି ବିମାନର ମାର୍ଗ ପରିବର୍ତ୍ତନ କରାଯାଇଥିଲା। ଏପରିକି ଅନେକ ବିମାନର ଆଗମନ ଏବଂ ପ୍ରସ୍ଥାନରେ ମଧ୍ୟ ଯଥେଷ୍ଟ ବିଳମ୍ବ ହୋଇଥିବା ଜଣାପଡ଼ିଛି। ତିନୋଟି ବିମାନ ରାୟପୁର ଏବଂ ଦୁଇଟି କୋଲକାତାକୁ ଡାଇଭର୍ଟ କରାଯାଇଥିଲା। ପ୍ରଭାବିତ ବିମାନଗୁଡ଼ିକ ମଧ୍ୟରେ ତିନୋଟି ଦିଲ୍ଲୀ, ଗୋଟିଏ ଚେନ୍ନାଇ ଏବଂ ଗୋଟିଏ ବେଙ୍ଗାଲୁରୁରୁ ଆସୁଥିବା ନେଇ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ନିଶ୍ଚିତ କରିଛନ୍ତି।

