G9 2yzabcaad9fd 1068x549

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କରିଥିଲେ। ଏଥିରେ ମୁଖ୍ୟତଃ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ପ୍ରଥମେ କେଉଁଝର ଜିଲ୍ଲାରେ ଏକ ପାଇଲଟ୍ ପ୍ରୋଗ୍ରାମ ଭାବରେ ଆରମ୍ଭ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ସଫଳତାକୁ ଅନୁଧ୍ୟାନ କରାଯାଇ ସମଗ୍ର ରାଜ୍ୟରେ ଏହାର ସଂପ୍ରସରାରଣ କରାଯିବ। ଡିଜିଟାଲ୍ ମିଶନ ଦ୍ୱାରା ଅଧିକାଂଶ ସ୍ୱାସ୍ଥ୍ୟସେବାକୁ ଯଥା ଆପଏଣ୍ଟମେଣ୍ଟ, ବୁକିଙ୍ଗ୍, ରେଫରାଲ୍ ଓ ଫଲୋଅପ୍ ବ୍ୟବସ୍ଥା ଇତ୍ୟାଦି ସମସ୍ତ କାର୍ଯ୍ୟ ଡିଜିଟାଲ ମାଧ୍ୟମରେ କରାଯିବ। ଏହା ଦ୍ୱାରା ରୋଗୀମାନଙ୍କ ପ୍ରତୀକ୍ଷା ସମୟ କମିବ ଏବଂ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ସର୍ବୋତ୍ତମ ବ୍ୟବହାର ହୋଇପାରିବ।

ଏଥିସହିତ ଡାକ୍ତର ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକରେ, DNB ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଡାକ୍ତରମାନେ ପ୍ରାକ୍ଟିକାଲ୍ ଓ କ୍ଲିନିକାଲ୍ ଟ୍ରେନିଙ୍ଗ୍ ପାଇ ସ୍ପେସିଆଲାଇଜେସନ୍ କରିପାରିବେ। ସାରା ରାଜ୍ୟରେ ଆୟୁଷ ଔଷଧକୁ ଲୋକପ୍ରିୟ କରିବାପାଇଁ, ଆୟୁଷ ଡାକ୍ତରମାନେ କେବଳ ଆୟୁର୍ବେଦିକ ଔଷଧ ହିଁ ଲେଖିବେ ଏବଂ କୌଣସି ଏଲୋପାଥିକ ଔଷଧ ପ୍ରେସକ୍ରାଇବ କରିବେ ନାହିଁ।  ଓଡ଼ିଶାରେ ଆୟୁଷ ଡାକ୍ତରମାନଙ୍କର ସେବାକୁ ଅଗ୍ରାଧିକାର ଦେବା ନିମନ୍ତେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମାନଙ୍କରେ ଆର୍ୟୁବେଦିକ ଓ ହୋମିଓପାଥି ମେଡିସିନ ଉପଲବ୍‌ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Share