205303 amypefwejs 1736691873 1068x561

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଗାଦିଚ୍ୟୁତ ହୋଇ ଦେଶ ଛାଡିବା ପରେ ଭାରତର ପୂର୍ବସୀମା ସଂଲଗ୍ନ ବାଂଲାଦେଶରେ ପ୍ରାୟ ଦେଢ ବର୍ଷ ଧରି ରାଜନୈତିକ ଅସ୍ଥିରତା ଲାଗି ରହିଛି। ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ପରିଚାଳିତ ଅନ୍ତରୀଣ ସରକାର ଆଇନ ଶୃଙ୍ଖଳା ବଜାୟ ରଖିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ମୌଳବାଦୀ ସଂଗଠନଗୁଡିକ ଅଧିକ ମାତ୍ରାରେ ସକ୍ରିୟ ହୋଇପଡିଥିବାବେଳେ ବାଂଲାଦେଶରେ ବାସ କରୁଥିବା ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅକଥନୀୟ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଭାରତ-ବାଂଲାଦେଶ ସୀମା ପ୍ରାୟ ଉତ୍ତେଜନାପୂର୍ଣ୍ଣ ଓ ଘଟଣା ବହୁଳ ହୋଇପଡିଛି। ୨୦୨୫ରେ ବାଂଲାଦେଶ ସଂଲଗ୍ନ ସୀମାରେ ୧୧୦୦ ଅନୁପ୍ରବେଶ ଉଦ୍ୟମ ଘଟଣା ଘଟିଥିବା ସରକାରୀଭାବେ କୁହାଯାଇଛି। ୨୦୨୪ରେ ଏହି ସଂଖ୍ୟା ୯୭୭ରେ ସୀମିତ ରହିଥିଲା। ଭାରତ ସୀମାକୁ ଲାଗିଥିବା ଅନ୍ୟ ସୀମାନ୍ତ ତୁଳନାରେ ବାଂଲାଦେଶ ସୀମାରେ ଅଧିକ ଅନୁପ୍ରବେଶ ଉଦ୍ୟମ ଘଟଣା ଘଟିଛି। ୨୦୨୫ରେ ପାକିସ୍ତାନ ପଟୁ ୩୨ ଥର ଅନୁପ୍ରବେଶ ଉଦ୍ୟମ ଘଟଣା ଘଟିଥିବାବେଳେ ମ୍ୟାଁମାର ସୀମାରେ ୯୫, ନେପାଳ-ଭୁଟାନ ସୀମାରେ ଯୁଗ୍ମଭାବେ ୫୪ ଥର ଏଭଳି ଘଟଣା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ବାଂଲାଦେଶ ସୀମାକୁ ଅନୁପ୍ରବେଶରୁ ସୁରକ୍ଷିତ ରଖିବା ବିଏସଏଫ ପକ୍ଷରେ ବଡ ଆହ୍ବାନ ପାଲଟିଛି।

ସୂଚନା ମୁତାବକ ୨୦୨୫ରେ ଭାରତକୁ ଅନୁପ୍ରବେଶ ଉଦ୍ୟମ କରୁଥିବା ୨୫୫୦ ବାଂଲାଦେଶୀଙ୍କୁ ବିଏସଏଫ ଯବାନ ଅଟକ ରଖିଥିଲେ। ଅଗଷ୍ଟ ପରେ ବାଂଲାଦେଶ ସୀମାରେ ଅନୁପ୍ରବେଶ ଘଟଣା ଯଥେଷ୍ଟ ବୃଦ୍ଧି ପାଇଥିଲା। ସେପ୍ଟେମ୍ବରରେ ୩୩୦ ଜଣ ଗିରଫ ହୋଇଥିବାବେଳେ ଅକ୍ଟୋବରରେ ଏହି ସଂଖ୍ୟା ୩୮୦, ନଭେମ୍ବରରେ ୩୦୬ ରହିଥିଲା। ଗତବର୍ଷ ପ୍ରଥମ ଛଅ ମାସରେ ଅନୁପ୍ରବେଶ ଉଦ୍ୟମ ଘଟଣା ପ୍ରାୟତଃ ୯୦-୧୧୦ ମଧ୍ୟରେ ସୀମିତ ରହିଥିଲା। ମେଘାଳୟ, ତ୍ରିପୁରା ଓ ମିଜୋରାମ ଭଳି ଭାରତର କେତେକ ଉତ୍ତର-ପୂର୍ବ ରାଜ୍ୟ ତୁଳନାରେ ପଶ୍ଚିମବଙ୍ଗର ଦୀର୍ଘ ସୀମା ବାଂଲାଦେଶକୁ ଲାଗିଥିବାବେଳେ ଅନୁପ୍ରବେଶକାରୀମାନେ ଏହି ରାଜ୍ୟକୁ ପଳାଇ ଆସିବାକୁ ଅଧିକ ସୁଯୋଗ ପାଉଛନ୍ତି। ଏହି କାରଣରୁ ପଶ୍ଚିମବଙ୍ଗରେ ଅଧିକ ସଂଖ୍ୟକ ବାଂଲାଦେଶ ନାଗରିକ ବାସ କରୁଥିବା ଲକ୍ଷ୍ୟ କରାଯାଇଛି। ଚଳିତବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ନିର୍ବାଚନ କମିସନଙ୍କ ତରଫରୁ ସେଠାରେ ଏସଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସମୀକ୍ଷା) କରାଯାଇ ଅବୈଧ ଭୋଟରଙ୍କୁ ତାଲିକାରୁ ବାଦ ଦିଆଯାଉଛି।

Share