ପଞ୍ଜାବ : ଗତକାଲି ବିଳମ୍ବିତ ରାତିରେ ପଞ୍ଜାବର ପଟିଆଲାରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଶମ୍ଭୁ-ଅମ୍ବାଲା ରେଲୱେ ଟ୍ରାକ ନିକଟରେ ଏହି ବିସ୍ଫୋରଣ ଘଟି ଟ୍ରାକ୍ କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣ ଘଟିଥିବା ସ୍ଥାନରେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତି ପ୍ରାୟ ୧୦ଟା ସମୟରେ ମାଲବାହୀ ଟ୍ରେନ୍ ପାଇଁ ସଂରକ୍ଷିତ ଟ୍ରାକ୍ ନିକଟରେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର ସୂଚନା ପାଇ ଡେପୁଟି ଇନ୍ସପେକ୍ଟର ଜେନେରାଲ ଅଫ୍ ପୋଲିସ (ଡିଆଇଜି) ଏବଂ ପଟିଆଲା ଏସଏସପି ବରୁଣ ଶର୍ମାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସରକାରୀ ରେଳବାଇ ପୋଲିସ ଏବଂ ରେଳବାଇ ସୁରକ୍ଷା ବଳ ଦଳ ମଧ୍ୟ ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ଏହାରି ମଧ୍ୟରେ ଏସଏସପି ବରୁଣ ଶର୍ମା କହିଛନ୍ତି ଯେ, ‘‘ବିସ୍ଫୋରଣ ଯୋଗୁଁ ରେଲୱେ ଟ୍ରାକ୍ କିଛି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ଏହା କମ୍ ତୀବ୍ରତାର ବିସ୍ଫୋରଣ ଥିଲା । ଏବେ ସମ୍ପୂର୍ଣ୍ଣ ଘଟଣା ତଦନ୍ତାଧୀନ ରହିଛି ।’’
ଅନ୍ୟପଟେ ବିସ୍ଫୋରଣ ସ୍ଥାନ ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରଥମେ ଏହି ବ୍ୟକ୍ତିଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲା । ବୋମା ରଖିଥିବା ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ବୋଲି ଏବେ ଏସଏସପି ଶର୍ମା କହିଛନ୍ତି । ଯାହା ପରବର୍ତ୍ତୀ ତଦନ୍ତରୁ ଜଣାପଡିଛି । ଏଥିସହିତ ବ୍ୟବହୃତ ବିସ୍ଫୋରକ ଚିହ୍ନଟ କରିବା ପାଇଁ ଘଟଣାସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚି ବିସ୍ଫୋରଣ ସ୍ଥାନରୁ ନମୂନା ସଂଗ୍ରହ କରୁଛି ।

