ଆନ୍ଧ୍ରପ୍ରଦେଶ: ମହାକାଶରେ ଇସ୍ରୋର ଆଉ ଏକ ସଫଳତା । ଆନ୍ଧ୍ରର ଶ୍ରୀହରିକୋଟାରୁ GSLV-F18 ରକେଟ୍ ରେ NVS-03 ଉପଗ୍ରହର ସଫଳ ଉତକ୍ଷେପଣ । ଭାରତର ସ୍ୱଦେଶୀ ନାଭିଗେସନ୍ ବ୍ୟବସ୍ଥା ‘ନାଭିକ୍’କୁ ମିଳିବ ଅଧିକ ସମର୍ଥନ । ମହାକାଶ କ୍ଷେତ୍ରରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋକୁ ଆଉ ଏକ ସଫଳତା ।
ଶୁକ୍ରବାର ବିଳମ୍ବିତ ରାତିରେ NVS-03 ନାଭିଗେସନ୍ ଉପଗ୍ରହର ସଫଳ ଉତକ୍ଷେପଣ କରାଯାଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ରାତି ୧୧ଟା ୫୧ ମିନିଟ୍ ରେ GSLV-F18 ରକେଟ୍ ମହାକାଶ ଅଭିମୁଖେ ଉଡ଼ାଣ ଭରିଥିଲା। ଏହାପରେ ଉପଗ୍ରହକୁ ନିର୍ଦ୍ଧାରିତ ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର୍ କକ୍ଷପଥରେ ସ୍ଥାପନ କରାଯାଇଛି । NVS-03 ହେଉଛି ଭାରତର ଦ୍ୱିତୀୟ ପିଢ଼ିର ତୃତୀୟ ନାଭିଗେସନ୍ ଉପଗ୍ରହ । ଏହାର ଓଜନ ପ୍ରାୟ ୨ ହଜାର ୨୩୨ କିଲୋଗ୍ରାମ୍ ।
ଭାରତର ସ୍ୱଦେଶୀ ନାଭିଗେସନ୍ ବ୍ୟବସ୍ଥା ‘ନାଭିକ୍’କୁ ଅଧିକ ସୁଦୃଢ଼ କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ନାଭିକ୍ ହେଉଛି ଭାରତର ନିଜସ୍ୱ ସାଟେଲାଇଟ୍ ନାଭିଗେସନ୍ ବ୍ୟବସ୍ଥା । ଆମେରିକାର GPS ଭଳି ଏହା ମଧ୍ୟ ସ୍ଥାନ ନିର୍ଣ୍ଣୟ, ଦିଗ ନିର୍ଦ୍ଦେଶନା ଏବଂ ସଠିକ୍ ସମୟ ସମ୍ପର୍କିତ ସୂଚନା ଯୋଗାଇଥାଏ । ଭାରତ ସମେତ ଦେଶର ସୀମାଠାରୁ ପ୍ରାୟ ୧୫୦୦ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ଏହି ବ୍ୟବସ୍ଥାର ସେବା ପରିସରରେ ରଖିବା ଲକ୍ଷ୍ୟ ରହିଛି । NVS-03 ଉପଗ୍ରହରେ ସ୍ୱଦେଶୀ ଆଟମିକ୍ କ୍ଲକ୍ ବା ପରମାଣୁ ଘଡ଼ି ଲଗାଯାଇଛି ।
ଏଥିରେ L1, L5 ଓ S-ବ୍ୟାଣ୍ଡ ସିଗନାଲ୍ ବ୍ୟବସ୍ଥା ରହିଛି। ବିଶେଷକରି L1 ସିଗନାଲ୍ ଯୋଗୁଁ ଭବିଷ୍ୟତରେ ସ୍ମାର୍ଟଫୋନ୍ ଓ ଅନ୍ୟାନ୍ୟ ନାଭିଗେସନ୍ ଉପକରଣରେ ନାଭିକ୍ ସେବାର ବ୍ୟବହାର ବଢ଼ିବାର ସମ୍ଭାବନା ରହିଛି। ଏହି ଉପଗ୍ରହ ମାଧ୍ୟମରେ ପରିବହନ, ସାମୁଦ୍ରିକ ଯାତାୟାତ, ମତ୍ସ୍ୟଜୀବୀଙ୍କ ନୌଚାଳନା, ଜରୁରୀକାଳୀନ ସେବା ଓ ସ୍ଥାନ ନିର୍ଣ୍ଣୟ ବ୍ୟବସ୍ଥାକୁ ଅଧିକ ସମର୍ଥନ ମିଳିବା ଆଶା କରାଯାଉଛି ।
ତେବେ ଉତକ୍ଷେପଣ ସଫଳ ହେବା ପରେ ମଧ୍ୟ ଉପଗ୍ରହକୁ ଏହାର ଅନ୍ତିମ କାର୍ଯ୍ୟକ୍ଷମ କକ୍ଷପଥରେ ପହଞ୍ଚାଇବା ପାଇଁ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ବାକି ରହିଛି। ୨୦୨୫ରେ NVS-02 ଉପଗ୍ରହକୁ ଅନ୍ତିମ କକ୍ଷପଥରେ ସ୍ଥାପନ କରିବାରେ ସମସ୍ୟା ଦେଖାଦେଇଥିଲା । ସେହି ଅନୁଭୂତିକୁ ଆଧାର କରି ଏଥର ଇସ୍ରୋ ପକ୍ଷରୁ ବୈଷୟିକ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। NVS-03ର ସଫଳ ଉତକ୍ଷେପଣ ଭାରତର ସ୍ୱଦେଶୀ ନାଭିଗେସନ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
