ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଲ୍ୟବାନ ଜମିକୁ ନେଇ ବଡ଼ ରାୟ । ପ୍ରାୟ ୨୯ ଏକର ଜମିର ବିବାଦୀୟ ରେକର୍ଡ ରଦ୍ଦ କରିଛନ୍ତି ଚକବନ୍ଦୀ ଆୟୁକ୍ତ । ପୁରୀ ତହସିଲ ଶଙ୍କରପୁର ମୌଜାରେ ଥିବା ୨୮. ୮୪୦ ଏକର ଜମିକୁ ପୁଣି ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ରେକର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ୱ ପର୍ଷଦଙ୍କ ଅଧୀନରେ ଥିବା ଚକବନ୍ଦୀ ଆୟୁକ୍ତଙ୍କ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଓମ୍ କାରେଶ୍ୱର ମନ୍ଦିର ସଂଲଗ୍ନ ଏହି ଜମିର ଆନୁମାନିକ ବଜାର ମୂଲ୍ୟ ୪୫୦ କୋଟି ଟଙ୍କାରୁ ଅଧିକ ଦିଆଯାଇଥିବା ତଥ୍ୟରେ ଉଲ୍ଲେଖ ।
ଏହି ଜମିର ଇତିହାସ ପ୍ରାୟ ଶହେ ବର୍ଷ ପୁରୁଣା । ୧୯୨୨-୨୩ ମସିହାର ସାବକ ବନ୍ଦୋବସ୍ତ ସମୟରେ ତତ୍କାଳୀନ ମହନ୍ତ ଏହି ଜମିକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିଥିଲେ । ପରେ ୧୯୨୭ ମସିହାରେ ପ୍ରକାଶିତ ସାବକ ରେକର୍ଡରେ ଏହା ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ, ମାର୍ଫତ୍ ଉତ୍ତର ପାର୍ଶ୍ୱ ମଠ ଏଣ୍ଡାଓମେଣ୍ଟ ଟ୍ରଷ୍ଟ ବୋର୍ଡଙ୍କ ନାମରେ ରେକର୍ଡଭୁକ୍ତ ହୋଇଥିଲା ।
ଏପରିକି ଚକବନ୍ଦୀ ପ୍ରକ୍ରିୟାର ପ୍ରାରମ୍ଭିକ ଜମି ରେଜିଷ୍ଟରରେ ମଧ୍ୟ ମହାପ୍ରଭୁଙ୍କ ନାଁ ରହିଥିଲା । କିନ୍ତୁ ୨୦୧୦ ମସିହାରେ ଏହି ଜମିର ରେକର୍ଡରେ ବଡ଼ ପରିବର୍ତ୍ତନ ହୋଇଥିଲା । ଫେବ୍ରୁଆରୀ ୧୮ ତାରିଖରେ ପୁରୀ ଅତିରିକ୍ତ ଉପଜିଲ୍ଲାପାଳଙ୍କ ଏକ ଆଦେଶ ଆଧାରରେ ମହାପ୍ରଭୁଙ୍କ ନାଁ ବାଦ୍ ଦେଇ ମହନ୍ତଙ୍କ ନାଁରେ ଜମି ରେକର୍ଡ କରାଯାଇଥିଲା ।
ମାତ୍ର ୨୨ ଦିନ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହୋଇଥିଲା । ପରବର୍ତ୍ତୀ ସମୟରେ ୨୦୧୩ ମସିହାରେ ମହନ୍ତଙ୍କ ନାଁରେ ପଟ୍ଟା ପ୍ରସ୍ତୁତ ହୋଇଥିଲା । ଏହି ରେକର୍ଡ ପରିବର୍ତ୍ତନକୁ ଚ୍ୟାଲେଞ୍ଜ କରିଥିଲା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ । ଚକବନ୍ଦୀ ଆୟୁକ୍ତଙ୍କ ନ୍ୟାୟାଳୟରେ ମାମଲା ରୁଜୁ କରାଯିବା ସହ ପୁରୁଣା ଜମି ରେକର୍ଡ, ଦାନ ସମ୍ପର୍କିତ ଦଲିଲ ଏବଂ ଅନ୍ୟାନ୍ୟ ଐତିହାସିକ ପ୍ରମାଣ ଉପସ୍ଥାପନ କରାଯାଇଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ଆଇନଜୀବୀ ଅମ୍ବିକା ପ୍ରସାଦ ମିଶ୍ର ମାମଲା ପରିଚାଳନା କରିଥିଲେ । ଶୁଣାଣି ବେଳେ ୨୦୧୦ ମସିହାର ରେକର୍ଡ ପରିବର୍ତ୍ତନ ପ୍ରକ୍ରିୟାରେ ଗୁରୁତର ଆଇନଗତ ତ୍ରୁଟି ଥିବା ସାମ୍ନାକୁ ଆସିଥିଲା ।
ବିଶେଷକରି ଶ୍ରୀମନ୍ଦିର ପ୍ରଶାସକ ଏବଂ ଦେବୋତ୍ତର ଆୟୁକ୍ତଙ୍କୁ ଆବଶ୍ୟକ ନୋଟିସ୍ ଦିଆଯାଇ ନଥିଲା । ଫଳରେ ସେମାନେ ନିଜ ପକ୍ଷ ରଖିବାର ସୁଯୋଗ ପାଇ ନଥିଲେ । ଏହା ସହ ମାତ୍ର ୨୨ ଦିନ ମଧ୍ୟରେ ମାମଲାର ଫଇସଲା କରାଯିବା ଏବଂ ନ୍ୟାୟିକ ପ୍ରକ୍ରିୟାର ମୌଳିକ ନୀତି ପାଳନ ହୋଇ ନଥିବା ଦିଗକୁ ମଧ୍ୟ ଚକବନ୍ଦୀ ଆୟୁକ୍ତ ଗୁରୁତ୍ୱ ଦେଇଥିଲେ । ସମସ୍ତ ଦଲିଲ ଓ ଆଇନଗତ ଦିଗକୁ ବିଚାର କରି ଚକବନ୍ଦୀ ଆୟୁକ୍ତ ପ୍ରବୀର କୁମାର ନାୟକ ବିବାଦୀୟ ଚୂଡ଼ାନ୍ତ ଚକବନ୍ଦୀ ରେକର୍ଡକୁ ରଦ୍ଦ କରିଛନ୍ତି । ଏହା ସହ ଜମିକୁ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ, ମାର୍ଫତ୍ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିଙ୍କ ନାମରେ ରେକର୍ଡ କରିବାକୁ ପୁରୀ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ରାୟକୁ ସ୍ୱାଗତ କରିଛି ଶ୍ରୀମନ୍ଦିର ପ୍ରଶାସନ । ମହାପ୍ରଭୁଙ୍କ ଜମିଜମାର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ ଏବଂ ଆଇନଗତ ସ୍ୱାର୍ଥରକ୍ଷା ପାଇଁ ପ୍ରଶାସନ ନିରନ୍ତର ଉଦ୍ୟମ କରୁଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଅନ୍ୟପଟେ ମୂଲ୍ୟବାନ ଦେବୋତ୍ତର ସମ୍ପତ୍ତିର ସୁରକ୍ଷା ଓ ଏଭଳି ବିବାଦୀୟ ମାମଲାର ତ୍ୱରିତ ସମାଧାନ ପାଇଁ ରାଜସ୍ୱ ପର୍ଷଦ ପକ୍ଷରୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।
