ସୁଧୁରୁଛି ବନ୍ୟା ସ୍ଥିତି; ୫୬ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର, ୩୭୦ ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ ଜାରି

04711ed0 483e 49c8 a79b 940545013622 1024x576
ଛତ୍ରପୁର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି। ଗତକାଲି ୨୧ଟି ଗାଁ ବନ୍ୟା ଜଳ ଘେରରେ ଥିବା ବେଳେ ଆଜି ଏହି ସଂଖ୍ୟା ୩କୁ ହ୍ରାସ ପାଇଛି। ଜିଲ୍ଲାର ପ୍ରାୟ ୫୬ ହଜାର ୫୧ ଜଣଙ୍କୁ ୩୬୭ଟି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଆଜି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ବନ୍ୟା ସ୍ଥିତି ଓ ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି। ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ୍ ଯୋଗାଣ ପାଇଁ ଜିଲ୍ଲାର ୩୭୦ଟି ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି। ଆଗାମୀ ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ଯେପରି ଖାଦ୍ୟ ସାମଗ୍ରୀର ଅଭାବ ନ ହୁଏ, ସେଥିପାଇଁ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବାକୁ ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଛି। ଜଳବନ୍ଦୀ ଗାଁଗୁଡ଼ିକୁ ଆକାଶମାର୍ଗରୁ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ବର୍ତ୍ତମାନ ପ୍ରାୟ ୭୦୦ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ସେମାନଙ୍କ ସୁରକ୍ଷା ଓ ଆବଶ୍ୟକ ସହାୟତା ଉପରେ ନଜର ରଖାଯାଇଛି।
ବନ୍ୟା ପରିସ୍ଥିତିରେ ଆସିକା ଓ ଶେରଗଡ଼ ବ୍ଲକ କାର୍ଯ୍ୟାଳୟ ମଧ୍ୟ ଜଳବନ୍ଦୀ ହୋଇଥିଲା। ବର୍ତ୍ତମାନ ନଦୀଗୁଡ଼ିକର ଜଳସ୍ତର କମୁଥିଲେ ମଧ୍ୟ କେତେକ ସ୍ଥାନରେ ଜଳ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଜଳସମ୍ପଦ ବିଭାଗର ଯନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନେ ନଦୀବନ୍ଧ, ଜଳଭଣ୍ଡାର ଏବଂ ଜଳ ନିଷ୍କାସନ ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି। ଆଗକୁ ପୁଣି ବର୍ଷା ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଓ ପ୍ରସ୍ତୁତି ଜାରି ରହିଛି।
ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମେ ମୁଖ୍ୟ ରାସ୍ତାଗୁଡ଼ିକର ପୁନରୁଦ୍ଧାରକୁ ଗୁରୁତ୍ୱ ଦିଆଯାଉଛି। ହିଞ୍ଜିଳିରୁ ଭଞ୍ଜନଗରକୁ ସଂଯୋଗ କରୁଥିବା ରାସ୍ତାର ମରାମତି ଚାଲିଥିବା ବେଳେ ପର୍ଯ୍ୟାୟକ୍ରମେ ଅନ୍ୟ ରାସ୍ତାଗୁଡ଼ିକର ମରାମତି କରାଯିବ। ସୋରଡ଼ା-ଦାରିଙ୍ଗବାଡ଼ି ଘାଟି ରାସ୍ତା ଏବଂ ମୋହନା-ବ୍ରହ୍ମପୁର ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଏହାର ପୁନରୁଦ୍ଧାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ବନ୍ୟାରେ କ୍ଷତିଗ୍ରସ୍ତ ଆନିକଟ ଓ ନଦୀବନ୍ଧଗୁଡ଼ିକର ମରାମତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି।ବିଦ୍ୟୁତ୍ ସେବା ସ୍ୱାଭାବିକ କରିବା ପାଇଁ ଟାଟା ପାୱାର ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି। ସମସ୍ତ ବ୍ଲକରେ ୨୪ ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ସଂଯୋଗ ପୁନଃସ୍ଥାପନ କରାଯାଇଥିବା ବେଳେ ଆଉ କେତେକ ସ୍ଥାନରେ ମରାମତି କାର୍ଯ୍ୟ ବାକି ରହିଛି। ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ସ୍ଥାନରେ ବିଦ୍ୟୁତ୍ ସେବା ସ୍ୱାଭାବିକ କରିବାକୁ ଉଦ୍ୟମ ଜାରି ରହିଛି।
ସ୍ୱାସ୍ଥ୍ୟସେବା ଓ ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ମଧ୍ୟ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି। ଆଗାମୀ ୧୫ ଦିନ ମଧ୍ୟରେ ପ୍ରସବ ତାରିଖ ଥିବା ୧,୨୬୨ ଜଣ ଗର୍ଭବତୀ ମହିଳାଙ୍କ ତଥ୍ୟ ସଂଗ୍ରହ କରାଯାଇଛି। ସେମାନଙ୍କ ମଧ୍ୟରୁ ୬୬୧ ଜଣ ଗର୍ଭବତୀଙ୍କୁ ମା’ ଗୃହ ଓ ହସ୍ପିଟାଲକୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ଏପର୍ଯ୍ୟନ୍ତ ୩୯୧ଟି ସୁରକ୍ଷିତ ପ୍ରସବ ହୋଇଥିବା ସୂଚନା ମିଳିଛି। ଜିଲ୍ଲାରେ ୨୮ଟି ମେଡିକାଲ୍ ରେସପନ୍ସ ଟିମ୍ ଏବଂ ୨୩ଟି ପ୍ରାଣୀଧନ ଜରୁରୀକାଳୀନ ଟିମ୍ ମୁତୟନ ହୋଇଛନ୍ତି।ବନ୍ୟା ମୁକାବିଲା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ODRAF, NDRF, ଅଗ୍ନିଶମ ଓ ଅନ୍ୟ ଉଦ୍ଧାରକାରୀ ଦଳ ମୁତୟନ ହୋଇଛନ୍ତି। ୧୪ଟି ODRAF ଟିମ୍‌ର ୪୨ଟି ୟୁନିଟ୍ ଏବଂ ୧୦ଟି NDRF ଟିମ୍‌ର ୩୦ଟି ୟୁନିଟ୍ ବିଭିନ୍ନ ବ୍ଲକରେ ମୁତୟନ ଅଛନ୍ତି। ଏହାବ୍ୟତୀତ ୨୪ଟି ଅଗ୍ନିଶମ ୟୁନିଟ୍ ଓ ରାଜ୍ୟ ପକ୍ଷରୁ ଅତିରିକ୍ତ ୨୫ଟି ଅଗ୍ନିଶମ ଟିମ୍ ପ୍ରସ୍ତୁତ ରହିଛନ୍ତି। SRCଙ୍କ ପକ୍ଷରୁ ୫ଟି ମୋଟରଚାଳିତ ବୋଟ୍ ରିଲିଫ୍ କାର୍ଯ୍ୟରେ ନିୟୋଜିତ ହୋଇଛି। ଆବଶ୍ୟକ ସ୍ଥଳେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅନ୍ୟ ଟିମ୍‌କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି।
ବ୍ରହ୍ମପୁର ସହରରେ ଜଳ ନିଷ୍କାସନ ପାଇଁ ବିଭିନ୍ନ ରଣନୀତିକ ସ୍ଥାନରେ ଯନ୍ତ୍ରପାତି ଓ ମାନବ ସମ୍ବଳ ମୁତୟନ କରାଯାଇଛି। ଡ୍ରେନ୍‌ରୁ ପଙ୍କ ଓ ଅବରୋଧ ହଟାଇବା ସହ ଜମି ରହିଥିବା ବର୍ଷା ଜଳ ନିଷ୍କାସନ କାର୍ଯ୍ୟ ଚାଲିଛି।ଜିଲ୍ଲାର ସମସ୍ତ ବ୍ଲକ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି। ଜିଲ୍ଲା ଜରୁରୀକାଳୀନ ଅପରେସନ୍ ସେଣ୍ଟରର ହେଲ୍ପଲାଇନ୍ ନମ୍ବର ୦୬୮୧୧-୨୬୩୯୭୮ ଜରିଆରେ ଜନସାଧାରଣ ଜରୁରୀ ସହାୟତା ପାଇଁ ଯୋଗାଯୋଗ କରିପାରିବେ। ଉପକୂଳ ଅଞ୍ଚଳରେ ମାଛଧରା ଉପରେ କଟକଣା ଜାରି ରହିଥିବା ବେଳେ ସାମୁଦ୍ରିକ ପୋଲିସ, ମତ୍ସ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ ପାଟ୍ରୋଲିଂ ଏବଂ ସଚେତନତା କାର୍ଯ୍ୟ ଚାଲିଛି।ବନ୍ୟା ପରିସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିଲେ ମଧ୍ୟ ଆଗାମୀ ପାଣିପାଗ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖିଛି। ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସୁରକ୍ଷା, ରିଲିଫ୍ ବଣ୍ଟନ ଓ ପୁନରୁଦ୍ଧାର କାର୍ଯ୍ୟକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି।
Share