ପଞ୍ଜାବ : ଭାକ୍ରା କେନାଲ ସହିତ ଜଡିତ ହୋଇ ରହିଛି ୨୬ ବର୍ଷ ତଳର ଏକ ଲୋମ ଟାଙ୍କୁରା କାହାଣୀ । ଦୀର୍ଘ ୨୬ ବର୍ଷ ପରେ ଖୋଲୁଛି ଏହି ଦୁଃଖଦ ଘଟଣାର ରହସ୍ୟ । ରହସ୍ୟର ଖୁଲାସା ଯେତିକି ଯେତିକି ହେଉଛି ଏହି ଘଟଣା ସେତିକି ଆଶ୍ଚର୍ଯ୍ୟ ଲାଗୁଛି । ଏହା ଆପଣଙ୍କୁ ଏକ ଫିଲ୍ମ ପରି ଲାଗିପାରେ ସତ ହେଲେ ହଁ ଆଜ୍ଞା ଏହା ପଛରେ ଲୁଚି ରହିଛି ୨୬ ବର୍ଷ ତଳର ପ୍ରକୃତ କାହାଣୀ । ୨୬ ବର୍ଷ ତଳର ପୁରୁଣା କାହାଣୀ ଖୋଲି ଦେଇଛି ପଞ୍ଜାବର ରୂପନଗର ଜିଲ୍ଲାର ଭାକ୍ରା କେନାଲର ପାଣି । ୨୦୦୦ ମସିହା ଅକ୍ଟୋବର ଥିଲା ଏହି ଘଟଣାର ମୁକସାକ୍ଷୀ ।
୨୬ ବର୍ଷ ତଳେ ଏକ ବିବାହ ଉତ୍ସବରୁ ଫେରିବା ସମୟରେ ନିଖୋଜ ହୋଇଥିବା ଏକ ମାରୁତି ଓମନି ଭ୍ୟାନ୍ ସ୍ଥାନୀୟ ବୁଡାଳିଙ୍କ ସହାୟତାରେ ଉଦ୍ଧାର କରାଯାଇଛି । ୩୨ ଫୁଟ ଗଭୀର ପାଣିରେ ପୋତି ହୋଇଥିବା ଏହି ଗାଡିଟି ଦୁଇ ଦଶନ୍ଧି ପୂର୍ବେ ନିଖୋଜ ହୋଇଥିବା ଏକ ପରିବାରର ଶେଷ ଚିହ୍ନ ସାଥିରେ ଆଣିଛି ।
ନିକଟରେ ଡାଇଭର କମଲପ୍ରୀତ ସାଇନି ଅନ୍ୟ ଏକ ମୃତଦେହ ଖୋଜିବା ପାଇଁ ନାକିଆନ ଗାଁ ନିକଟ କେନାଲରେ ପ୍ରବେଶ କରିଥିଲେ । ଦୀର୍ଘ ବର୍ଷ ଧରି ପାଣିରେ ବୁଡି ରହିବା ଯୋଗୁଁ ସେହି କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଗାଡିର ସାମ୍ନା ଭଗ୍ନାବଶେଷ ଖୋଜିବା ସମୟରେ ସାଇନି କିଛି ମାନବ କଙ୍କାଳ ଏବଂ ନାବାଳକର ସାର୍ଟ ପାଇଥିଲେ । ଯିଏ ୮ ବର୍ଷ ବାଳକର ବୋଲି ବିଶ୍ବାସ କରାଯାଉଛି ।
ଏହି ଘଟଣାଟି କୋଟଲା ଗାଁର ଏକ ପରିବାର ସହିତ ଜଡିତ ଥିଲା । ଯାହା ଅକ୍ଟୋବର ୨୦୦୦ ର ସେହି ଦୁର୍ଭାଗ୍ୟପୂର୍ଣ୍ଣ ରାତିରେ ଘଟିଥିଲା । ସେହି ଦୁର୍ଘଟଣା ସମୟରେ ୩ ଜଣ ପୁରୁଷଙ୍କ ସମେତ ଜଣେ ୮ ବର୍ଷର ଶିଶୁ ଏକ ବିବାହ ଉତ୍ସବରୁ ଫେରୁଥିବାବେଳେ ସେମାନଙ୍କ ଭ୍ୟାନ୍ ନିୟନ୍ତ୍ରଣ ହରାଇ ଭାକ୍ରା କେନାଲରେ ଖସି ପଡିଥିଲା । ସେହି ସମୟରେ ମାସ ମାସ ଧରି ଖୋଜା ଖୋଜି ହେବା ସତ୍ତ୍ବେ ପାଣିର ପ୍ରବାହର ମାତ୍ରା ଏତେ ଥିଲା ଯେ ଗାଡି କିମ୍ବା କୌଣସି ମୃତଦେହ ମିଳିପାରିନଥିଲା । ଯେତେବେଳେ ଡାଇଭର ସାଇନି କୋଟଲା ଗାଁର ପୀଡିତଙ୍କ ପରିବାର ସହିତ ଯୋଗାଯୋଗ କରିଥିଲେ, ସେମାନେ କାନ୍ଦି କାନ୍ଦି ତାଙ୍କୁ ଗାଡ଼ି ବାହାର କରିବାକୁ ଅନୁରୋଧ କରିଥିଲେ । ଟ୍ରାକ୍ଟର ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ବହୁତ ଚେଷ୍ଟା ପରେ ଭଗ୍ନାବଶେଷ ବାହାର କରାଯାଇଥିଲା ।
ଦଶନ୍ଧି ଧରି ଅପେକ୍ଷା କରିବା ପରେ, ଯେତେବେଳେ ପ୍ରିୟଜନଙ୍କ ଦେହାବଶେଷ ମିଳିଲା ଗାଁରେ ଶୋକର ଲହରୀ ଖେଳିଗଲା । ମଙ୍ଗଳବାର ଦିନ କିରତପୁର ସାହିବରେ ଦିବଙ୍ଗତ ଆତ୍ମାଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ୨୬ ବର୍ଷ ପରେ, ପରିବାରବର୍ଗଙ୍କୁ ଏହି କଥାରେ ସାନ୍ତ୍ୱନା ମିଳିଥିଲା ଯେ ସେମାନଙ୍କ ପ୍ରିୟଜନଙ୍କ ଶେଷକୃତ୍ୟ ଏବଂ ଚିତାଭସ୍ମ ଏବେ ଧାର୍ମିକ ରୀତିନୀତି ଅନୁଯାୟୀ କରାଯାଇପାରିବ ।

