ଆମେରିକା : ଆମେରିକାର ସାଉଥ କାଲିଫର୍ନିଆରେ ଏକ ବିପଜ୍ଜନକ କେମିକାଲ ଜିନିଷ ଲିକ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସେଥିପାଇଁ ଶୁକ୍ରବାର ପ୍ରାୟ ୪୦ ହଜାର ଲୋକଙ୍କୁ ସେହି ସ୍ଥାନୀୟ ଅଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ପ୍ରଭାବିତ ଅଞ୍ଚଳର ସ୍କୁଲଗୁଡ଼ିକୁ ମଧ୍ୟ ବନ୍ଦ କରିଦିଆଯାଇଛି ।
ରିପୋର୍ଟ ଅନୁଯାୟୀ, ପ୍ଲାଷ୍ଟିକ୍ ତିଆରିରେ ବ୍ୟବହୃତ ଏକ ବିପଜ୍ଜନକ କେମିକାଲ ପଦାର୍ଥ ଲିକ୍ ହେଉଛି। ଅଧିକାରୀମାନେ କହିଛନ୍ତି ଯେ, କେମିକାଲ ଲିକ୍ ହେବା ଯୋଗୁଁ ଏହା ବିସ୍ଫୋରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏବେ କେମିକାଲ ଟାଙ୍କି ଲିକକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜାରି ରହିଛି ।
ଏହାରି ମଧ୍ୟରେ ଗୁରୁବାର ଦିନ ଗାର୍ଡେନ୍ ଗ୍ରୋଭ୍ ସହରର ଏକ ଏରୋସ୍ପେସ୍ ପ୍ଲାଷ୍ଟିକ୍ କାରଖାନାରେ ୨୨,୭୦୦ ରୁ ୨୬,୫୦୦ ଲିଟର ମିଥାଇଲ୍ ମେଥାକ୍ରିଲେଟ୍ ଭର୍ତ୍ତି ଏକ ଷ୍ଟୋରେଜ୍ ଟ୍ୟାଙ୍କ ବହୁତ ଗରମ ହୋଇଗଲା ଏବଂ ଏହାର ବାଷ୍ପ ବ୍ୟାପିବାକୁ ଲାଗିଲା ବୋଲି ଅରେଞ୍ଜ କାଉଣ୍ଟି ଅଗ୍ନିଶମ ବିଭାଗ କହିଛି । କର୍ତ୍ତୃପକ୍ଷ ଗାର୍ଡେନ୍ ଗ୍ରୋଭ୍ର ବାସିନ୍ଦାଙ୍କୁ ସହର ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗାର୍ଡେନ୍ ଗ୍ରୋଭ୍ ଅଗ୍ନିଶମ ମୁଖ୍ୟ କ୍ରେଗ୍ କୋଭେ ଶୁକ୍ରବାର ଦିନ କହିଛନ୍ତି ଯେ ଟ୍ୟାଙ୍କଟି ଫାଟିପାରେ । ଯାହା ଫଳରେ ଏହି କେମିକାଲ ପଡ଼ିବା ଦ୍ବାରା ବିସ୍ଫୋରଣ ହୋଇପାରେ। କୋଭେ କହିଛନ୍ତି, ଏହି ବିସ୍ଫୋରଣକୁ ରୋକିବାକୁ ପ୍ରୟାସ କରାଯାଉଛି ।
ଅନ୍ୟପଟେ ଶୁକ୍ରବାର ଦିନ କେମିକାଲ ଲିକ୍ ହେବା ଫଳରେ ପାଞ୍ଚଟି ଅନ୍ୟ ଅରେଞ୍ଜ କାଉଣ୍ଟି ସହରର ଅନ୍ୟ ୫ ସହର ସାଇପ୍ରେସ୍, ଷ୍ଟାଣ୍ଟନ୍, ଆନାହେମ୍, ବୁଏନା ପାର୍କ ଏବଂ ୱେଷ୍ଟମିନିଷ୍ଟରର କିଛି ବାସିନ୍ଦାଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ ଜାରି କରାଯାଇଥିଲା । ଅଧିକାରୀମାନେ ରାତାରାତି ଟ୍ୟାଙ୍କରୁ ଲିକ୍ ବନ୍ଦ କରିବାରେ ଅସମର୍ଥ ହେବା ପରେ ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା । ଏହି ଘଟଣା GKN ଏରୋସ୍ପେସ୍ରେ ଘଟିଥିଲା । ଯାହା ବାଣିଜ୍ୟିକ ଏବଂ ସାମରିକ ବିମାନର ଅଂଶ ତିଆରି କରେ । କେମିକାଲ ଲିକ୍ ରୋକିବା ପାଇଁ ଘଟଣାସ୍ଥଳରେ ଏବେ ବି ପ୍ରୟାସ ଜାରି ରହିଛି।

