ଭୁବନେଶ୍ୱର : ବଦଳିଲେ IPS ଅଫିସର ଦୟାଲ ଗଙ୍ଗୱାର। ADGP କମ୍ୟୁନିକେସନ ପଦରୁ ହଟିଲେ ଦୟାଲ ଗଙ୍ଗୱାର। ଗୃହ ବିଭାଗ OSD ଭାବେ ମିଳିଛି ନିଯୁକ୍ତି । ଦୟାଲ ଗଙ୍ଗୱାରଙ୍କ ବଦଳିର କାରଣ କଣ ତାହା ସରକାରୀ ଭାବେ କୁହାଯାଇନାହିଁ । ତେବେ ସୌମ୍ୟରଂଜନଙ୍କ ସହ ଲିଙ୍କ ମାମଲାରେ ତାଙ୍କର ବଦଳି ହୋଇଥିବା ଚର୍ଚ୍ଚା ହେଉଛି । ଅଡ଼ଶପୁର ମଉଜପୁରର ସୌମ୍ୟରଂଜନ ସ୍ବାଇଁ ଜିଆରପି କନେଷ୍ଟବଳ ଥିଲେ । ପୂର୍ବରୁ ରେଳବାଇ ଏଡିଜି ଥିଲେ ଦୟାଲ ଗଙ୍ଗୱାର ।
ସୌମ୍ୟଙ୍କ ସହ ଦୟାଲ ଗଙ୍ଗୱାରଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ସଂପର୍କ ନେଇ ଚର୍ଚ୍ଚା ଭିତରେ ତାଙ୍କର ବଦଳି ହୋଇଛି । ବାଲିଅନ୍ତାରେ ସୌମ୍ୟଙ୍କ ପିଟିପିଟି ହତ୍ୟା ପରେ ବିଜେଡି ଅଭିଯୋଗ କରିଥିଲା ଯେ, ସୌମ୍ୟ ରଞ୍ଜନ ସ୍ବାଇଁ ଜଣେ ଏଡିଜିଙ୍କ ଘରେ କାମ କରୁଥିଲେ। ସେହି ଏଡିଜିଙ୍କ ଜିମରେ ମଧ୍ୟ ସେ କାମ କରୁଥିଲେ । ଏଡିଜିଙ୍କ ଘରେ ଜଣେ ରେଳବାଇ ପୋଲିସର କର୍ମଚାରୀ କଣ ପାଇଁ କାମ କରୁଥିଲେ ? ଏଡିଜିଙ୍କ ଜିମ୍ ସେ କାହିଁକି ସମ୍ଭାଳୁଥିଲେ ବୋଲି ପ୍ରଶ୍ନଉଠାଇଥିଲା ବିଜେଡି । ତେବେ ଏନେଇ ଗଙ୍ଗୱାରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ବାଲିଅନ୍ତା ମବ ଲିଞ୍ଚିଂ ମାମଲାରେ ଜଣେ ADGଙ୍କୁ ନେଇ ବିବାଦ ଉଠିଥିଲା । ଆଇପିଏସ ଦୟାଲ ଗଙ୍ଗୱାରଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ ସୌମ୍ୟଙ୍କ ବାପା ଓ ମାମୁ । ଆଜି ପୁଅର ମୃତ୍ୟୁ ପାଇଁ ନିଆଳି ବିଧାୟକ ଛବି ମଲ୍ଲିକଙ୍କୁ ଆସି ଭେଟିବା ପରେ ମଧ୍ୟ ସମାନ କଥା ଦୋହରାଇଛନ୍ତି । ଆଜି ଏଡିଜି ଗଙ୍ଗୱାରଙ୍କ ନାଁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । କେବଳ ଏଡିଜି ଗଙ୍ଗୱାରଙ୍କ ବଦଳିରୁ କୌଣସି ଫରକ ପଡ଼ିବ ନାହିଁ । ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ଉଚିତ ବୋଲି ଦାବି କରିଛନ୍ତି ସୌମ୍ୟଙ୍କ ମାମୁ । ଯଦି ସୌମ୍ୟଙ୍କ ମୃତ୍ୟୁ ପଛରେ ତାଙ୍କର ହାତ ଥାଏ ତେବେ ତାଙ୍କୁ ଦଣ୍ଡ ମିଳିବା ଉଚିତ ବୋଲି ମାମୁ ଅଜୟ ଦାସ କହିଛନ୍ତି । ସେପଟେ ବଦଳି ନୁହେଁ, ତାଙ୍କୁ ଚାକିରିରୁ ବହିଷ୍କାର ଦାବି କରିଛନ୍ତି ସୌମ୍ୟଙ୍କ ବାପା ।

