Cm 7

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।  କ୍ୟାବିନେଟ୍ ସମ୍ପ୍ରସାରଣ ଓ ଓଡ଼ିଶା ବିକାଶ ଉପରେ ହେଲା ବଡ଼ ଆଲୋଚନା ।  ଏହି ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ଉଭୟ ନେତାଙ୍କ ମଧ୍ୟରେ ଓଡ଼ିଶାର ପ୍ରଗତି ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବେଶ୍ କିଛି ସମୟ ଧରି ବିସ୍ତୃତ ଆଲୋଚନା ହୋଇଥିବା କୁହାଯାଉଛି ।

ଆଲୋଚନା ସମୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପାଇଁ ମୋହନ ମାଝି ମାଗିଲେ ଗ୍ରୀନ୍ ସିଗନାଲ୍!। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସାକ୍ଷାତକାର ସମୟରେ ଓଡ଼ିଶା ମନ୍ତ୍ରୀମଣ୍ଡଳର ବହୁ ପ୍ରତୀକ୍ଷିତ ସମ୍ପ୍ରସାରଣ ଓ ଅଦଳବଦଳ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅନ୍ତିମ ଅନୁମୋଦନ ଲୋଡ଼ିଛନ୍ତି। ବର୍ତ୍ତମାନ ଓଡ଼ିଶା ସରକାରରେ ୬ଟି ମନ୍ତ୍ରୀ ପଦ ଖାଲି ଅଛି।

ବିଜେପି ସରକାରର ଦ୍ୱିତୀୟ ବର୍ଷ ପୂର୍ତ୍ତି ପୂର୍ବରୁ କିଛି ନୂଆ ଚେହେରାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ସହ ବିଭାଗ ବଣ୍ଟନରେ ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ଜୋର୍ ଧରିଛି। ଏହାସହ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆସନ୍ତା ଜୁନ୍ ମାସରେ ଓଡ଼ିଶାରେ ବିଜେପି ନେତୃତ୍ୱାଧୀନ ସରକାର ନିଜର ସଫଳ ଦ୍ୱିତୀୟ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି।

ଏହି ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରିଛନ୍ତି। ଏହି ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତକାର ସମୟରେ ଉଭୟ ନେତା କରମର୍ଦ୍ଦନ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଟକର ପ୍ରସିଦ୍ଧ ରୂପା ତାରକାସି କାମରେ ନିର୍ମିତ ଏକ ସୁନ୍ଦର ଡଙ୍ଗାର ସ୍ମାରକୀ ପ୍ରଧାନମନ୍ତ୍ରୀଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ।

ଏହି ବୈଠକ କେନ୍ଦ୍ର ଓ ରାଜ୍ୟ ନେତୃତ୍ୱ ମଧ୍ୟରେ ଥିବା ସୁଦୃଢ଼ ସମନ୍ୱୟକୁ ସ୍ପଷ୍ଟ ଭାବେ ଦର୍ଶାଉଛି ।  ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ସୋସିଆଲ ମିଡିଆରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଓଡ଼ିଶାର ଭିତ୍ତିଭୂମିର ବିକାଶ, ପୁଞ୍ଜିନିବେଶ ସୁଯୋଗର ସମ୍ପ୍ରସାରଣ ଏବଂ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଆଗକୁ ନେବା ସମ୍ପର୍କରେ ସକାରାତ୍ମକ ଆଲୋଚନା ହୋଇଥିଲା।

ଏହାସହ ଓଡ଼ିଶାବାସୀଙ୍କ ସେବାରେ ସରକାରଙ୍କ ଦ୍ଵିତୀୟ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ ଜଣାଇଲେ। । ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ମାର୍ଗଦର୍ଶନ ଓ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିବା ମୋହନ ମାଝି କହିଛନ୍ତି।

Share