ଆଜି ଇରାନ ନିଜର ଆକ୍ରମଣ ପରିସରକୁ ବୃଦ୍ଧି କରି ବାହାରିନକୁ ମଧ୍ୟ ଟାର୍ଗେଟ କରିଛି। ବାହାରିନରେ ଅବସ୍ଥିତ ଆମେରିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଞ୍ଚମ ନୌସେନା ବାହିନୀ ମୁଖ୍ୟାଳୟ ଉପରେ ସଫଳ ଆକ୍ରମଣ କରାଯାଇଥିବା ନେଇ ଇରାନ ଦାବି କରିଛି। ତେବେ ବାହାରିନ ଓ ଆମେରିକା ସେନା ମିଳିତ ଭାବେ ଇରାନର ଡ୍ରୋନ ଓ ମିସାଇଲକୁ ଆକାଶମାର୍ଗରେ ହିଁ ଧ୍ୱଂସ କରିଦେଇଥିବା ପେଣ୍ଟାଗନ୍ ସ୍ପଷ୍ଟ କରିଛି। ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଆମେରିକା ସେନା ଇରାନର କେଶମ ଦ୍ୱୀପ ଉପରେ ଜୋରଦାର ବିମାନ ଆକ୍ରମଣ କରିଛି। ଇରାନର ବରିଷ୍ଠ ସାମରିକ ପରାମର୍ଶଦାତା ମୋହସେନ ରେଜାଇ ଆମେରିକାକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ୱାସିଂଟନ ନିଜର ସୀମା ପାର କଲେ ଭୟାବହ ସ୍ଥିତିର ସମ୍ମୁଖୀନ ହେବ।
ଆଜି ଆମେରିକା ଓ ଇରାନ ପରସ୍ପରର ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରିବା ଏବଂ ଇରାନ କୁଏତ ବିମାନ ବନ୍ଦରରେ ଧ୍ବଂସଲୀଳା ସୃଷ୍ଟି କରିବା ପରେ ଯୁଦ୍ଧବିରତି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା ଏବେ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ସଂବେଦନଶୀଳ ତୈଳ ପରିବହନ ମାର୍ଗ ହର୍ମୁଜ ପ୍ରଣାଳୀ ପ୍ରତି ସୁରକ୍ଷା ବିପଦ ଦେଖାଦେଇଥିବାରୁ, ବିଶ୍ୱ ବଜାରରେ ଆଗକୁ ଅସ୍ଥିରତା ବଢ଼ିବା ଆଶଙ୍କା କରାଯାଉଛି।
ୟୁଏଇର ବୈଦେଶିକ ବ୍ୟାପାର ବିଭାଗ ଆଜି ଇରାନ ଦ୍ବାରା ବେସାମରିକ ଭିତ୍ତିଭୂମି ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରିଛି ଏବଂ ଗଲ୍ଫ ଦେଶଗୁଡ଼ିକୁ ନିଜର ସୁରକ୍ଷା ପାଇଁ ଏକଜୁଟ ହେବାକୁ ଆହ୍ୱାନ ଦେଇଛି। ଅନ୍ୟପଟେ ଇସ୍ରାଏଲ ଏବଂ ହେଜବୁଲ୍ଲା ମଧ୍ୟରେ ଦକ୍ଷିଣ ଲେବାନନରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ମଧ୍ୟ ଏହି ଉତ୍ତେଜନାକୁ ଆହୁରି ବଢ଼ାଇ ଦେଇଛି।