ନୂଆଦିଲ୍ଲୀ : ହଠାତ୍ ଲାଗିଲା ନିଆଁ। ସବୁକିଛି ପୋଡି ପାଉଁଶ ହୋଇଗଲା। ବୁଧବାର ରାଜଧାନୀ ଦିଲ୍ଲୀର ମାଲବ୍ୟ ନଗରର ହୌଜ ରାଣୀରେ ଏକ ରେସ୍ତୋରାଁରେ ହୋଇଥିବା ଅଗ୍ନିକାଣ୍ଡରେ ବଢୁଛି ମୃତ୍ୟୁ ସଂଖ୍ୟା। ଏଯାଏଁ ୨୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ ରୁ ଅଧିକ ଆହତ ହୋଇଛନ୍ତି। ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅନେକ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଆଁ ଲାଗିବା ମାତ୍ରେ ଲୋକେ ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡିବା ଆରମ୍ଭ କରିବା ସହ ତଳକୁ ଅନେକ ଡେଇଁ ପଡ଼ି ମଧ୍ୟ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ କିଛି ବିଦେଶୀ ପର୍ଯ୍ୟଟକ ଥିବା କୁହାଯାଉଛି। ଅନେକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ରେସ୍ତୋରାଁରେ ଲଜ୍ ବ୍ୟବସ୍ଥା ଥିବାରୁ ୨୫ଟି ରୁମ୍ ଥିଲା। ଏଥିରେ ପ୍ରାୟ ୪୦ ଜଣ ରହୁଥିଲେ।
ବୁଧବାର ସକାଳେ ଦିଲ୍ଲୀର ମାଲବ୍ୟ ନଗରର ହୌଜ ରାଣୀରେ ଥିବା ୫ ମହଲା ବିଶିଷ୍ଟ ରେସ୍ତୋରାଁରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦିଲ୍ଲୀର ମାଲବ୍ୟ ନଗରର ହୌଜ ରାଣୀରେ ଥିବା ଲେମନ୍ ଗ୍ରୀନ୍ ରେଷ୍ଟୁରାଣ୍ଟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ, ୧୦ଟି ଅଗ୍ନିଶମ ବାହିନୀ ଗାଡ଼ି ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଥିଲା। ବହୁତ ଚେଷ୍ଟା ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ଉପସ୍ଥିତ ଅଛି। ଏପର୍ଯ୍ୟନ୍ତ ଏହି ଅଗ୍ନିକାଣ୍ଡ ଯୋଗୁଁଁ ୨୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪୦ ରୁ ଅଧିକ ଆହତ ହୋଇଛନ୍ତି।
ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ଅଗ୍ନିଶମ ସେବା ଦଳ ସକାଳ ୮:୫୦ ରେ ମାଲବ୍ୟ ନଗରର ଲେମନ୍ ଗ୍ରୀନ୍ ରେସ୍ତୋରାଁରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇଥିଲା। ତୁରନ୍ତ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ରେସ୍ତୋରାଁର ବେସମେଣ୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି। ବେସମେଣ୍ଟରୁ ଲୋକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪୦ ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଟ୍ୱିଟ୍ କରିଛନ୍ତି, “ମାଲବ୍ୟ ନଗରରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ପ୍ରାଣହାନି ପାଇଁ ମୁଁ ଗଭୀର ଦୁଃଖିତ। ପୀଡିତଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା। ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଏବଂ ଏହି ହୃଦୟବିଦାରକ ଘଟଣାରେ ପ୍ରଭାବିତ ସମସ୍ତ ଲୋକଙ୍କ ପାଇଁ ସାହସ ଏବଂ ଶକ୍ତି ପାଇଁ ମୁଁ ପ୍ରାର୍ଥନା କରୁଛି। ଘଟଣା ବିଷୟରେ ସୂଚନା ପାଇବା ପରେ, ଦିଲ୍ଲୀ ଅଗ୍ନିଶମ ସେବା, ଦିଲ୍ଲୀ ପୁଲିସ ଆମ୍ବୁଲାନ୍ସ ସେବା ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ପ୍ରତିକ୍ରିୟା ସଂସ୍ଥାର ଦଳଗୁଡ଼ିକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସେମାନଙ୍କର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁଁ ପ୍ରଭାବିତ ଅଞ୍ଚଳରୁ ଅନେକ ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତରିତ କରାଯାଇଥିଲା। ଦିଲ୍ଲୀ ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ପ୍ରଭାବିତ ପରିବାରକୁ ସମସ୍ତ ଆବଶ୍ୟକୀୟ ଚିକିତ୍ସା ସହାୟତା ଏବଂ ସହାୟତା ଯୋଗାଇ ଦିଆଯାଉଛି। ଏହି ଦୁଃଖର ମୁହୂର୍ତ୍ତରେ ଦିଲ୍ଲୀ ସରକାର ପ୍ରଭାବିତ ପରିବାର ସହିତ ଦୃଢ଼ ଭାବରେ ଠିଆ ହୋଇଛି। ଏହି ଘଟଣାରେ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇବାକୁ ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।”
ଆମ ଆଦମୀ ପାର୍ଟିର ବିଧାୟକ ସୋମନାଥ ଭାରତୀ ଏକ୍ସରେ ସୂଚନା ସେୟାର କରି କହିଛନ୍ତି ଯେ ତାଙ୍କ ନିର୍ବାଚନମଣ୍ଡଳୀ ହୌଜ ରାଣୀର ଏକ ବହୁମହଲା କୋଠାରେ ସକାଳ ପ୍ରାୟ ୮:୩୦ ସମୟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ସେ ମୃତାହତ ହେବାର ଆଶଙ୍କା ପ୍ରକାଶ କରି କହିଛନ୍ତି ଯେ ଦକ୍ଷିଣ ଆଫ୍ରିକୀୟ ନାଗରିକ ଫସି ରହିପାରନ୍ତି।
ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ଏବଂ ପୁଲିସ ପ୍ରଶାସନ ତଦନ୍ତ ଆରମ୍ଭ କରିଛି। ରାଜଧାନୀ ଦିଲ୍ଲୀରେ ଏପରି ଅଗ୍ନିକାଣ୍ଡ ଏହା ପ୍ରଥମ ଥର ନୁହେଁ। ପୂର୍ବରୁ ଦିଲ୍ଲୀର ଅନ୍ୟ ଅନେକ ଅଞ୍ଚଳରେ ସମାନ ଅଗ୍ନିକାଣ୍ଡ ଘଟିଛି।
ଏହି ଘଟଣା ମଙ୍ଗଳବାର ସକାଳେ ଦିଲ୍ଲୀର ମୁକୁନ୍ଦପୁର ଅଞ୍ଚଳରେ ଏକ କୋଠା ଭୁଶୁଡ଼ିବାର ଗୋଟିଏ ଦିନ ପରେ ଘଟିଛି, ଯେଉଁଥିରେ ଏକ ଏଲପିଜି ସିଲିଣ୍ଡର ବିସ୍ଫୋରଣ ଯୋଗୁଁଁ ଦଶ ଜଣ ଆହତ ହୋଇଥିଲେ।

