ଭୁବନେଶ୍ୱର: ଭୁବନେଶ୍ୱରର ସୈନିକ ସ୍କୁଲ୍ ରାସ୍ତାରେ ସିରିଜ୍ ଦୁର୍ଘଟଣା ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ପୂର୍ବରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମୃତ୍ୟୁବରଣ କରିଛନ୍ତି। ଫଳରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି।
ତେବେ ଏହି ଘଟଣାରେ ମୈତ୍ରୀବିହାର ଥାନାରେ ଆତ୍ମସମର୍ପଣ କରିଛନ୍ତି କାର ଚାଳକ। ଉକ୍ତ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ସେ ହଠାତ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିଲା। ଅପରପକ୍ଷରେ ପୋଲିସ ଦୁର୍ଘଟଣାଗ୍ରସ୍ତ କାର୍, ଅଟୋ ଏବଂ ଦୁଇ ଚକିଆ ଗାଡ଼ିକୁ ଜବତ କରିବା ସହ ସିସିଟିଭି ଯାଞ୍ଚ୍ କରୁଛି।
ସୂଚନା ଅନୁଯାୟୀ ସୋମବାର ରାତି ପ୍ରାୟ ୮ଟା ପାଖାପାଖି ପ୍ରେସ ଛକ ପଟୁ ଏକ କାର୍ ରେଲୱେ ଷ୍ଟାଡିୟମ ଆଡକୁ ଦ୍ରୁତ ଗତିରେ ଯାଉଥିଲା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥୁଆ ହୋଇଥିବା ୪ଟି ବାଇକ୍ ଓ ଅଟୋକୁ ଧକ୍କା ଦେଇ ନିକଟସ୍ଥ ଚା’ ଦୋକାନ ଆଗରେ ଠିଆ ହୋଇଥିବା ଲୋକଙ୍କ ଉପରକୁ ମାଡ଼ି ଯାଇଥିଲା।
ମୃତକଙ୍କ ମଧ୍ୟରେ ଜଣେ IAS ଅଧିକାରୀଙ୍କ ସ୍ୱାମୀ ଅଛନ୍ତି।ମୃତକଙ୍କ ନାମ ସନ୍ତୋଷ ବେହେରା, ଯିଏକି ଇଲେକ୍ଟ୍ରିସିଆନ୍ ଭାବେ କାମ କରୁଥିଲେ। ଜେରୋମ ଏକ୍କା, ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସ୍ୱାମୀ ଏବଂ ଅନ୍ୟଜଣେ ଲକ୍ଷ୍ମୀଧର ଟପ୍ପୋ ବୋଲି ଚିହ୍ନଟ କରାଯାଇଛି। ସେହିପରି ଆହତ ହୋଇଥିବା ଅନ୍ୟ ଚାରି ଜଣ ବ୍ୟକ୍ତି ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।
ତେବେ ଆହତମାନଙ୍କୁ ପ୍ରଥମେ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା ଏବଂ ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ପରେ ମୃତ ଘୋଷଣା କରାଯାଇଥିଲା। ଅନ୍ୟ ଜଣେ ଏମ୍ସ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ।
ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଖସିଯାଇଥିବା SUV ଡ୍ରାଇଭର ଗଞ୍ଜାମ ଜିଲ୍ଲାର ଗଙ୍ଗାପୁର ନିବାସୀ ଅନିଲ ଗୌଡ଼ା ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିବା ଗାଡ଼ିକୁ ପୂର୍ବରୁ ଜବତ କରାଯାଇଥିଲା।