ଭୁବନେଶ୍ବର: ଡାକ୍ତରମାନଙ୍କର ଦୀର୍ଘକାଳୀନ ଅନୁପସ୍ଥିତି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାର ବିଭିନ୍ନ ଡାକ୍ତରଖାନାରେ ୧୨୮ ଜଣ ମେଡିକାଲ ଅଫିସର ଓ ଡେଣ୍ଟାଲ ସର୍ଜନ ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି । ସେମାନଙ୍କ ସ୍ଥିତି ବିଷୟରେ ଜଣାଇବା ପାଇଁ ଖବରକାଗଜରେ ଇସ୍ତାହାର ମଧ୍ୟ ଦିଆଯାଇଥିଲା । ସେମାନଙ୍କର ଏହି ଅନଧିକୃତ ଉପସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି କନ୍ଧମାଳ ପୋଲିସ ହସ୍ପିଟାଲର ପୂର୍ବତନ ମେଡିକାଲ ଅଫିସର ଡାକ୍ତର ବିଚକ୍ଷଣା ପାଣିଗ୍ରାହୀଙ୍କୁ ମୁଖ୍ୟମନ୍ତ୍ରୀ ସରକାରୀ ସେବାରୁ ବହିଷ୍କୃତ କରିଛନ୍ତି । ଡାକ୍ତର ପାଣିଗ୍ରାହୀ ୨୦୧୨ ପରଠାରୁ ଅନଧିକୃତ ଭାବେ ଅନୁପସ୍ଥିତ ରହିଛନ୍ତି । ବିଭାଗ ପକ୍ଷରୁ ତାଙ୍କୁ ବିଭିନ୍ନ ସମୟରେ ଅନୁପସ୍ଥିତିର କାରଣ ଦର୍ଶାଇବା ଏବଂ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ, ସେ ତାହାର ଅନୁପାଳନ କରିନଥିଲେ । ରୋଗୀ ସେବାରେ ତାଙ୍କର ଏହି ଅନାଗ୍ରହ ଯୋଗୁ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି ।

