ପୁରୀ : ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତଙ୍କୁ ଲୁଟୁଛନ୍ତି ଦଲାଲ୍। ଟଙ୍କା ନେଇ ଜଗା ଦର୍ଶନ, ୫ଦିନରେ ୧୧ ଗିରଫ । ଭକ୍ତଙ୍କ ଠାରୁ ଟଙ୍କା ନେଇ ମହାପ୍ରଭୁଙ୍କ ଦର୍ଶନ କରାଇବା ଅଭିଯୋଗରେ ୧୧ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରାଯାଇଛି । ସିସିଟିଭି ଫୁଟେଜ ଅନୁଧ୍ୟାନ ,ତଥ୍ୟ ଓ ପ୍ରମାଣ ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି। ଏମାନଙ୍କ ସହ କାହାର ସଂପୃକ୍ତି ଅଛି, ତାହାର ତଦନ୍ତ କରାଯାଉଥିବା ପୁରୀ ଏସପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିରରେ ନକଲି ଗୁମାସ୍ତାଙ୍କ ଦୌରାତ୍ମ୍ୟ । ଦର୍ଶନ ନାଁରେ ମିଥ୍ୟା ପ୍ରତିଶ୍ରୁତି ଦେଇ ଭକ୍ତଙ୍କୁ ଲୁଟ୍ । ୫ ଦିନରେ ୧୧ ଅଭିଯୁକ୍ତ ଗିରଫ । ଗତକାଲି ୫ ଓ ଆଜି ୩ ଗିରଫ । ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଚଢାଉ କରିଥିଲା ସିଂହଦ୍ୱାର ପୋଲିସ। ଚଢାଉ ସମୟରେ ପୋଲିସ ୫ ଜଣ ନକଲି ଯାତ୍ରୀ ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ଆଜି ପୋଲିସ ୩ ଜଣ ନକଲି ଯାତ୍ରୀ ଗୁମାସ୍ତାଙ୍କୁ ଗିରଫ କରିଛି। ଆଜି ଗିରଫ ହୋଇଥିବା ୩ ଜଣଙ୍କ ଠାରୁ ନଗଦ ୨୬୨୦ ଟଙ୍କା ଓ ୩ ମୋବାଇଲ ଜବତ କରାଯାଇଛି ।
ପୁରୀକୁ ପ୍ରତିଦିନ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଛନ୍ତି। ଏହାର ଫାଇଦା ନେଇ ଭକ୍ତ ମାନଙ୍କୁ ଠକିବା ପାଇଁ ଦଲାଲ୍ ମାନେ ବେଶ୍ ସକ୍ରିୟ ହୋଇ ପଡୁଛନ୍ତି । ତେବେ ଏହି ଦଲାଲ୍ ମାନେ ଏକ ଗ୍ୟାଙ୍ଗ ସୃଷ୍ଟି କରି ଏଭଳି କାର୍ଯ୍ୟ କରୁଥିବା ଭକ୍ତ ମାନେ ଅଭିଯୋଗ କରିଛନ୍ତି। ଏଣୁ ତୁରନ୍ତ ପୁରୀ ଏସପି, ଜିଲ୍ଲାପାଳ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏଥିରେ ହସ୍ତକ୍ଷେପ କରି ଘଟଣା ପଛରେ କିଏ ରହିଛି ମାଷ୍ଟର ମାଇଣ୍ଡ ସେନେଇ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି।

