Protest for bhatta

ବଲାଙ୍ଗୀର: ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ଗରିବ ଏବଂ ଅସହାୟ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଏହାର ଏକ ବଡ଼ ପ୍ରଭାବ ଦେଖିବାକୁ ମିଳିଛି। ଦୀର୍ଘ ୩ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ନମିଳିବା ପ୍ରତିବାଦରେ ଶତାଧିକ ବୃଦ୍ଧବୃଦ୍ଧା ଏବଂ ମହିଳା ରାଜରାସ୍ତାକୁ ଓହ୍ଲାଇଛନ୍ତି। ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ହିତାଧିକାରୀମାନେ ଏକ ବିଶାଳ ଗଣଧାରଣା ଦେବା ସହ ପ୍ରଶାସନିକ ଅବହେଳା ବିରୋଧରେ ଗର୍ଜିଛନ୍ତି।

ସ୍ଥାନୀୟ ବାସିନ୍ଦା ଓ ପ୍ରତିବାଦକାରୀଙ୍କ ସୂଚନା ଅନୁଯାୟୀ, ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଅନେକ ପଞ୍ଚାୟତରେ ଗତ ତିନି ମାସ ହେଲା ହିତାଧିକାରୀଙ୍କ ଆକାଉଣ୍ଟକୁ ଭତ୍ତା ଟଙ୍କା ଆସିନାହିଁ। ଭତ୍ତା ଟଙ୍କା ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିବା ଗରିବ ବୃଦ୍ଧବୃଦ୍ଧାମାନେ ଔଷଧ ପତ୍ର ଏବଂ ଦୈନନ୍ଦିନ ଗୁଜରାଣ ମେଣ୍ଟାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ସ୍ଥାନୀୟ କର୍ତ୍ତୃପକ୍ଷ ଓ ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ଗୁହାରି କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ ନକରିବାରୁ ଶେଷରେ ସେମାନେ ଆନ୍ଦୋଳନର ପନ୍ଥା ଆପଣେଇଛନ୍ତି।

ବିଜୁ ଜନତା ଦଳ (ବିଜେଡି) ଯୁବ ନେତା ଅଜିତ ଯୋଶୀଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦ ସଭାରେ ତୁରନ୍ତ ବାକି ଭତ୍ତା ପ୍ରଦାନ ପାଇଁ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଓଡ଼ିଶାରେ ଭତ୍ତା ଟଙ୍କା ପ୍ରଦାନରେ ଦେଖାଦେଇଥିବା ଅହେତୁକ ବିଳମ୍ବକୁ ନେଇ ଏବେ ଏକ ବଡ଼ ରାଜନୈତିକ ବିବାଦ ଦେଖା ଦେଇଛି। ଗୋଟିଏ ପଟେ ସରକାର ଦୁଇ ବର୍ଷ ପୂର୍ତ୍ତିର ଉତ୍ସବ ମନାଉଛନ୍ତି। ଅନ୍ୟପଟେ ହିତାଧିକାରୀ ଭତ୍ତା ଟଙ୍କା ନପାଇ ଅଡୁଆରେ ପଡିଛନ୍ତି। ବିରୋଧୀ ଦଳ ଏହାକୁ ମୋହନ ମାଝୀ ସରକାରଙ୍କ “ପ୍ରଶାସନିକ ବିଫଳତା” ବୋଲି କହି କଟାକ୍ଷ କରିଛନ୍ତି।

କେବଳ ବଲାଙ୍ଗୀର ନୁହେଁ, ବରଂ କଟକର ତିଗିରିଆ, ବାଲେଶ୍ୱର, ମାଲକାନଗିରି ଏବଂ ଆଠଗଡ଼ ଭଳି ଅଞ୍ଚଳରେ ମଧ୍ୟ ଭତ୍ତା ବିଳମ୍ବକୁ ନେଇ ବ୍ୟାପକ ପ୍ରତିବାଦ ପ୍ରଦର୍ଶନ କରାଯାଉଛି। ଅନଲାଇନ୍ ବ୍ୟବସ୍ଥାରେ ତ୍ରୁଟି ଏବଂ ବୈଷୟିକ ସମସ୍ୟା ଯୋଗୁଁ ହିତାଧିକାରୀଙ୍କ ପାଖରେ ଟଙ୍କା ପହଞ୍ଚିବାରେ ଏଭଳି ବିଳମ୍ବ ହେଉଥିବା ଜଣାପଡ଼ିଛି। ଗରିବ ଲୋକଙ୍କ ସାମାଜିକ ସୁରକ୍ଷାକୁ ଅଣଦେଖା ନକରି ଯଥାଶୀଘ୍ର ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।

Share