କୋରାପୁଟ: ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ବଦଳିପାହାଡ଼ ଜଙ୍ଗଲରୁ ବଡ଼ଧରଣର ମାଓ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଠାବ । ସମସ୍ତ ସାମଗ୍ରୀ ଆନ୍ଧ୍ର- ଓଡ଼ିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ବୋଲି ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଜେରା ବେଳେ ମିଳିଥିବା ଗୁପ୍ତ ତଥ୍ୟକୁ ଆଧାର କରି କୋରାପୁଟ ଜିଲ୍ଲା ଡିଭିଏଫ ପକ୍ଷରୁ ଛତିଶଗଡ଼ର ବସ୍ତର ଜିଲ୍ଲା ନାଙ୍ଗୁର ଥାନା ସୀମାକୁ ଲାଗି ରହିଥିବା ବଦଳିପାହାଡ଼ ଜଙ୍ଗଲରେ ଘନ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା । ସୋମବାର ଭୋର ସମୟରେ ଡିଭିଏଫ୍ ଦଳ ମାଓବାଦୀଙ୍କ ଦ୍ୱାରା ମାଟିତଳେ ଲୁଚାଇ ରଖାଯାଇଥିବା ସାମଗ୍ରୀ ସହ ବିସ୍ପୋରକ ଖୋଜି ବାହାର କରିଥିଲେ ।
ସେଥିମଧ୍ୟରୁ ଗୋଟିଏ ଇନସାସ୍ ରାଇଫଲ୍, ୬ଟି ଦେଶୀ ବନ୍ଧୁକ, ପ୍ରାୟ ୧୮ କେଜି ଓଜନର ଗୋଟିଏ କ୍ଲେମୋର୍ ମାଇନ୍, ୧୦ କେଜିର ଗୋଟିଏ ଟିଫିନ୍ ବମ ଏବଂ ୪ କେଜି ଓଜନର ୬ଟି ଟିଫିନ୍ ବମ୍ ଜବତ କରାଯାଇଛି। ଏହା ସହ ଗୋଟିଏ ମାଓବାଦୀ କିଟ୍ ବ୍ୟାଗ୍, ବିପୁଳ ପରିମାଣର ମାଓ ପୁସ୍ତକ, ବ୍ୟବହାର୍ଯ୍ୟ ଔଷଧ ଏବଂ ଖାଦ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି । କୋରାପୁଟ ଜିଲ୍ଲାକୁ ସମ୍ପୂର୍ଣ୍ଣ ମାଓ-ମୁକ୍ତ ଘୋଷଣା କରାଯାଇଛି ବର୍ତ୍ତମାନ ସ୍ଥିତିରେ ଜିଲ୍ଲାରେ ଯେପରି ମାଓବାଦୀମାନେ ପୁଣି ସକ୍ରିୟ ନ ହୋଇପାରିବେ । ସେଥିପାଇଁ ଏସଓଜି , ଡିଭିଏଫ୍ ଏବଂ ବିଏସଏଫ୍ ପକ୍ଷରୁ ମିଳିତ ଭାବେ ସୀମାନ୍ତ ଅଞ୍ଚଳରେ ନିୟମିତ କମ୍ବିଂ ଅପରେସନ୍ ଜାରି ରଖା ଯାଇଥିବା ଏସପି ସୂଚନା ଦେଇଛନ୍ତି ।

