Untitled 2026 06 23 09 59

ସମ୍ବଲପୁର : ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ସମ୍ବଲପୁର CADA ବିଭାଗର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ । ସମ୍ବଲପୁର, କଟକ, ବାଲେଶ୍ୱର ଏବଂ ମାଲକାନଗିରିରେ ଚଢାଉ । ଏକକାଳୀନ ୭ଟି ସ୍ଥାନରେ ରେଡ୍ କରୁଛି ଟିମ୍ । ପଦ୍ମଲୋଚନ ନାୟକଙ୍କ ୧୫ ଦାମୀ ପ୍ଲଟ ଠାବ । ରେଡ୍ ବେଳେ ୧୫ଟି ଦାମୀ ପ୍ଲଟ ଠାବ କଲା ଭିଜିଲାନ୍ସ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାଡ଼ା (କମାଣ୍ଡ ଏରିଆ ଡେଭେଲପମେଣ୍ଟ ଅଥରିଟି) ବିଭାଗର ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର ପଦ୍ମଲୋଚନ ନାୟକଙ୍କ ସହ ସମ୍ପୃକ୍ତ ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଛି । ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ବେଳେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି । କଟକର ବିଦ୍ୟାଧରପୁର ଅଞ୍ଚଳରେ ପ୍ରାୟ ୭ ହଜାର ବର୍ଗଫୁଟ୍ ବିଶିଷ୍ଟ ଏକ ତିନି ମହଲା ବିଶିଷ୍ଟ ଆବାସିକ କୋଠା ଓ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧୀନ ମୁଖାଲିସ୍ ଅଞ୍ଚଳରେ ୧,୪୬୫ ବର୍ଗଫୁଟ୍ ବିଶିଷ୍ଟ ଦୁଇ ମହଲା କୋଠା ଠାବ କରାଯାଇଛି ।

ଏହାଛଡ଼ା ଭୁବନେଶ୍ୱର, କଟକ, ଯାଜପୁର ଜିଲ୍ଲାର କୋରେଇ, ବାଲେଶ୍ୱରର ବସ୍ତା ଓ ପୁରୀର ଡେଲାଙ୍ଗ ଅଞ୍ଚଳରେ ମୋଟ ୧୫ଟି ମୂଲ୍ୟବାନ ପ୍ଲଟ୍ ଠାବ ହୋଇଛି । ଏହି କୋଠା ଓ ଜମିଗୁଡ଼ିକର ମାପ ଓ ବଜାର ମୂଲ୍ୟ ଆକଳନ କାର୍ଯ୍ୟ ଭିଜିଲାନ୍ସର ଟେକ୍ନିକାଲ୍ ୱିଙ୍ଗ ପକ୍ଷରୁ ଜାରି ରହିଛି । ତଲାସି ବେଳେ ୩ ଲକ୍ଷ ୪୫ ହଜାର ନଗଦ ଟଙ୍କା ସହ ଶ୍ରୀଲଙ୍କା, ନେପାଳ, ବାହାରିନ ଓ ଆମେରିକାର କିଛି ବିଦେଶୀ ମୁଦ୍ରା ଜବତ କରାଯାଇଛି । ସେହିପରି ବ୍ୟାଙ୍କ ଜମା, ଡାକଘର ସଞ୍ଚୟ ଓ ଅନ୍ୟାନ୍ୟ ଆର୍ଥିକ ନିବେଶର ତଥ୍ୟ ଯାଞ୍ଚ କରାଯାଉଛି । ଏହା ସହ ଏକ ଜେସିବି ମେସିନ୍ , ୩ଟି ଚାରିଚକିଆ ଗାଡ଼ି ଏବଂ ଏକ ଦୁଇ ଚକିଆ ଗାଡ଼ି ମଧ୍ୟ ଠାବ ହୋଇଛି । ଭିଜିଲାନ୍ସର ତଲାସି ଅଭିଯାନ ଜାରି ରହିଥିବା ବେଳେ ଆଗାମୀ ଦିନରେ ଆହୁରି ସମ୍ପତ୍ତି ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଆଶା କରାଯାଉଛି ।

Share