କଟକ: କଟକ ମହାନଗର ନିଗମ (ସିଏମସି)ର ୫୪ ନମ୍ବର ୱାର୍ଡ ଅନ୍ତର୍ଗତ ନୂଆବଜାର ଅଞ୍ଚଳରେ ନିର୍ମାଣ ହୋଇଥିବା ଏକ ‘ଫୁଡ୍ ମାର୍କେଟ୍’ ବା ‘ଫୁଡ୍ କୋର୍ଟ’କୁ ନେଇ ଏବେ ତୀବ୍ର ବିବାଦ ଓ ଅସନ୍ତୋଷ ପ୍ରକାଶ ପାଇଛି। ସରକାରୀ ଜମିରେ କୌଣସି ସୂଚନା ଫଳକ ନଲଗାଇ ବେଆଇନ ଭାବେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ମାର୍କେଟ୍ ନିର୍ମାଣ କରାଯାଇଥିବା ନେଇ ସିଏମସି କମିଶନର (ଆୟୁକ୍ତ)ଙ୍କ ନିକଟରେ ଅଭିଯୋଗ ହୋଇଛି। କାହା ସ୍ବାର୍ଥରେ ଏହି ଫୁଡ଼ ମାର୍କେଟ ହୋଇଛଇ ବୋଲି ପ୍ରଶ୍ନ ଉଠାଇଛନ୍ତି ଜନସାଧାରଣ | ଏହା କଣ କରପୋରେଟର ଓ ଜୁନିଅର ଇଞ୍ଜିନିୟରଙ୍କ ମଧୁଚନ୍ଦ୍ରିକାରେ ନିର୍ମାଣ ହୋଇଛି କି ବୋଲି ପ୍ରଶ୍ନ ପଚାରିଛନ୍ତି ଲୋକେ |
ଅଭିଯୋଗ ମୁତାବକ, ନୂଆବଜାର ହନୁମାନ ମନ୍ଦିର ପ୍ରାଙ୍ଗଣକୁ ଲାଗି ଏହି ନୂତନ ଫୁଡ୍ କୋର୍ଟ ପ୍ରତିଷ୍ଠା କରାଯାଇଛି। ଏହି ସ୍ଥାନଟି ଓଏମପିରୁ ପାରାଦୀପ ଏବଂ ଜଗତସିଂହପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ବା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଅବସ୍ଥିତ। ଉକ୍ତ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଛୋଟବଡ଼ ଗାଡ଼ି ଯାତାୟାତ କରିଥାଏ। ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଓ ଆବାସିକ ଘର ଥିବା ବେଳେ ଏଠାରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି।
ସୂଚନାଯୋଗ୍ୟ ଯେ, ମୁଖ୍ୟ ରାସ୍ତାଟି ପ୍ରଶସ୍ତ ନଥିବାରୁ ଏହାର ବିକଳ୍ପ ସ୍ୱରୂପ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱ ରାସ୍ତାକୁ ଚଉଡ଼ା କରାଯାଉଛି। ମାତ୍ର ଏହି ନିର୍ମାଣଧୀନ ରାସ୍ତା କଡ଼ରେ ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ପାଚେରି ଉଠାଯିବା ସହ ପେଭର ବ୍ଲକ ପକାଇ ରାସ୍ତାକୁ ଆହୁରି ସଙ୍କୁଚିତ କରାଯାଇଛି। ଫଳରେ ଜାତୀୟ ରାଜପଥକୁ ଲାଗି ରହିଥିବା ଏହି ବଜାର ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ ସମସ୍ୟା ଗୁରୁତର ରୂପ ଧାରଣ କରୁଛି ଏବଂ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି।
ଅଭିଯୋଗକାରୀଙ୍କ କହିବା ଅନୁସାରେ, ଏହି ଫୁଡ୍ କୋର୍ଟ ନିର୍ମାଣ ନେଇ ସେଠାରେ କୌଣସି ସରକାରୀ ସୂଚନା ଫଳକ (ଭୋର୍ଡ) ଲଗାଯାଇ ନାହିଁ। ସିଏମସି କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ମିଳିଛି କି ନାହିଁ, ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଅନ୍ୟପଟେ କିଛି ମୁଷ୍ଟିମେୟ ପ୍ରଭାବଶାଳୀ ଲୋକ ଏହି ଫୁଡ୍ ମାର୍କେଟ୍କୁ ନିଜ କବଜାରେ ରଖି ବେଆଇନ ଭାବେ ଟଙ୍କା ଆଦାୟ କରୁଥିବା ମଧ୍ୟ ଜଣାପଡ଼ିଛି।
ଏହି ବେଆଇନ କାର୍ଯ୍ୟକଳାପ ବିରୋଧରେ ସ୍ଥାନୀୟ ବାସିନ୍ଦା ଗଣେଶ କୁମାର ସାହୁ ସିଏମସି କମିଶନରଙ୍କ ନିକଟରେ ଏକ ଅଭିଯୋଗପତ୍ର ଦାଖଲ କରିଛନ୍ତି। ସେ ନିଜ ଦାବିରେ ଦର୍ଶାଇଛନ୍ତି ଯେ, ଏହି ବେଆଇନ ଫୁଡ୍ ମାର୍କେଟ୍ ଯୋଗୁଁ ସ୍ଥାନୀୟ ଲୋକେ ଏବଂ ପଥିକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ପ୍ରଶାସନ ତୁରନ୍ତ ଏହାର ନିର୍ମାଣ ନେଇ ଉପଯୁକ୍ତ ଯାଞ୍ଚ କରୁ ଏବଂ ଏହି ବେଆଇନ ଫୁଡ୍ ମାର୍କେଟ୍କୁ ସେଠାରୁ ଉଚ୍ଛେଦ କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରୁ। ଏହି ସମ୍ପର୍କରେ ଶ୍ରୀ ସାହୁ କଟକ ଡିସିପିଙ୍କୁ ମଧ୍ୟ ଅବଗତ କରାଇ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ ଅନୁରୋଧ କରିଛନ୍ତି।

