Paddy vc

ନୂଆପଡା: ରବି ଋତୁରେ ଦିନକୁ ଦିନ ବିଷମ ହେବାରେ ଲାଗିଛି ମଣ୍ଢି ସମସ୍ୟା । ଏବେବି ନୂଆ ପଡ଼ା ଜିଲ୍ଲାର ବିଭିନ୍ନ ମଣ୍ଡିରେ ବିକ୍ରି ନହୋଇ ପଡିରହିଛି ପ୍ରାୟ ୩ଲକ୍ଷ ବସ୍ତା ଧାନ । ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଜୀବନ ହାରିଲେ ଚାଷୀ  । ନୂଆପଡା ଜିଲ୍ଲା କୋମନା ବ୍ଲକ ଜଡାମୁଣ୍ଡା ଗାଁରୁ ଆସିଛି ଚାଷୀଙ୍କ ଜୀବନ ହାରିବା ଖବର । ମିଳିଲା ଟୋକନ । ହେଲେ ମଣ୍ଡିରେ ବିକ୍ରି ହେଲାନି ଧାନ । ଜଡାମୁଣ୍ଡା ମଣ୍ଡିରେ ଧାନ ବିକ୍ରି ନହେବାରୁ ନେପାଳ ମାଝି କୀଟ ନାଶକ ପିଇ ଜୀବନ ହାରିଥିବା ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ମେ ୩୦ରୁ ଧାନ ବିକ୍ରି ପାଉଁ ଟୋକନ ପାଇଥିଲେ ।  କିନ୍ତୁ ୨୪ଦିନ ପରେ ବି ଜଡ଼ାମୁଣ୍ଡା ମଣ୍ଡିରେ ଧାନ ବିକ୍ରି କରିପାରିନଥିଲେ । ଧାରକରଜ କରି ରବି ଧାନଚାଷ କରିଥିବାରୁ ଏହାକୁ ନେଇ ମାନସିକ ଚାପରେ ଥିଲେ ନେପାଳ । ଗତକାଲି କିଛି ଚାଷୀଙ୍କ ସହ ନେପାଳ ନୂଆପଡା ଜିଲ୍ଲା ଯୋଗାଣ ଅଫିସ ଯାଇ ଧାରଣା ଦେବା ସହ ମଣ୍ଡିରୁ ଧାନ ଶୀଘ୍ର ଉଠେଇବା ପାଇଁ ଅନୁରୋଧ କରିଥିଲେ ।  ହେଲେ ପ୍ରଶାସନ ପକ୍ଷରୁ କୌଣସି ପ୍ରତିଶ୍ରୁତି ନମିଳିନଥିଲା ।  ପରେ ନିଜ ଚାଷ ଜମିକୁ ଯାଇ କୀଟନାଶକ ପିଇ ଦେଇଥିଲେ । ତାଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।

Share