ଭୁବନେଶ୍ୱର : ଆଇଏଏସ୍ ଅଫିସର ସାଜି ଲୁଟୁଥିଲା, ଶେଷରେ ପୋଲିସ ଜାଲରେ ପଡ଼ିଲା ଠକ । ଦାମୀ ଚଷମା କିଣି ଟଙ୍କା ନଦେବାରୁ ଖୋଲିଗଲା ନକଲି ସବ୍ କଲେକ୍ଟରର ଅସଲ ମୁଖା । ଭୁବନେଶ୍ୱରରେ ନିଜକୁ IAS ଅଧିକାରୀ ଓ ସବ୍ କଲେକ୍ଟର ପରିଚୟ ଦେଇ ଲୋକଙ୍କ ଉପରେ ରୋବାବ୍ ଜମାଉଥିଲା ବିଶାଖାପାଟଣାର ବରଦା ସୁଧୀର ।
ସରକାରୀ ଅଧିକାରୀର ପରିଚୟ ଦେଇ ବିଭିନ୍ନ ସ୍ଥାନରେ ସୁବିଧା ନେଉଥିବା ଅଭିଯୋଗ ରହିଛି । ରୂପାଲି ଅଞ୍ଚଳର ଏକ ଚଷମା ଦୋକାନରୁ ଦାମୀ ଚଷମା କିଣିବା ପରେ ଟଙ୍କା ଦେଇନଥିଲା ଅଭିଯୁକ୍ତ । ଟଙ୍କା ମାଗିବାରୁ ନିଜକୁ ବଡ଼ ଅଧିକାରୀ ବୋଲି ପରିଚୟ ଦେଇ ଧମକ ଦେବା ସହ ପ୍ରଭାବ ଖଟାଇବାକୁ ଚେଷ୍ଟା କରିଥିଲା । ଖବର ପାଇ ସହିଦନଗର ପୋଲିସ ତଦନ୍ତ ଆରମ୍ଭ କରିଥିଲା ।
ଯାଞ୍ଚ ବେଳେ ସବୁ ପରିଚୟ ନକଲି ବୋଲି ଜଣାପଡ଼ିବା ପରେ ତାକୁ ଗିରଫ କରାଯାଇଛି । ତଦନ୍ତରୁ ଜଣାପଡ଼ିଛି, ଅଭିଯୁକ୍ତ ପୂର୍ବରୁ ମଧ୍ୟ ନକଲି UPI ଏବଂ ଅନ୍ୟାନ୍ୟ ଠକେଇ ମାମଲାରେ ଜେଲ ଯାଇସାରିଛି । ଜାମିନରେ ଆସିବା ପରେ ପୁଣି ଥରେ ନୂଆ ପରିଚୟ ନେଇ ଠକେଇ ଜାଲ ବିଛାଇଥିଲା । ଏବେ ତାର ଠକେଇ ସାମ୍ରାଜ୍ୟର ଅଧିକ ଗୁମର ଖୋଲିବାକୁ ଖୋଳତାଡ଼ ଚଳାଇଛି ପୋଲିସ ।

