ପୁରୀ:ମହାପ୍ରଭୁ ଶ୍ରୀଜଗନ୍ନାଥ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡିରେ ଗୁପ୍ତସେବା ପାଇଥାନ୍ତି । ଏହି ସମୟରେ ଭକ୍ତମାନେ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରିଥାନ୍ତି । ଶାସ୍ତ୍ରରେ ବର୍ଣ୍ଣିତ ଅଛି, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସମ ଫଳ ମିଳିଥାଏ । ଏଥିପାଇଁ ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କ ପୀଠ ଚଳଚଞ୍ଚଳ ହୋଇ ଉଠେ । ଏହାକୁ ନଜରରେ ମହାପ୍ରଭୁ ଅଲାରନାଥଙ୍କ ଯାତ୍ରା ଅବସରରେ ଭାରୀ ଯାନ ଚଳାଚଳ ଉପରେ କଟକଣା ଲଗାଇଛି ପ୍ରଶାସନ ।
ପ୍ରତିବନ୍ଧିତ ରୁଟ୍ ଗୁଡିକ ହେଉଛି ମଙ୍ଗଳା ଘାଟ ଠାରୁ ସାତପଡ଼ା ଏବଂ ଖଜୁରିଆ ଠାରୁ ବ୍ରହ୍ମଗିରି ମାର୍କେଟ ଛକ । ଏହି ପ୍ରତିବନ୍ଧକ ୩୦ ଜୁନ ୨୦୨୬ ଠାରୁ ୧୩ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।
ଏଥିସହିତ ଶୃଙ୍ଖଳିତ ଦର୍ଶନ ନିମନ୍ତେ ପୋଲିସ ମୁତୟନ, ଅଣସର ଦର୍ଶନ ୧୫ ଦିନ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା, ତିନୋଟି ସ୍ଥାନରେ ପାର୍କିଂ ସହ ସିସିଟିଭି କ୍ୟାମେରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବାହ୍ୟ ଭୋଗ ନିମନ୍ତେ ଶ୍ରୀଗଣେଶଙ୍କ ନିକଟରେ ଭୋଗ ମଣ୍ଡପ ବ୍ୟବସ୍ଥା ହେବ । ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିକିତ୍ସା କେନ୍ଦ୍ର ସହ ଡାକ୍ତର ରହିବା ବ୍ୟବସ୍ଥା, ଅଗ୍ନିଶମ ବିଭାଗ ପକ୍ଷରୁ ସତର୍କତା ବ୍ୟବସ୍ଥା, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ତରଫରୁ ପାନୀୟ ଜଳର ସୁବନ୍ଦୋବସ୍ତ ଏବଂ ଅସ୍ଥାୟୀ ପାଇଖାନା ନିର୍ମାଣର ସମୀକ୍ଷା କରି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

