ପାକିସ୍ତାନ : ପାକିସ୍ତାନର ଲାହୋରରେ ଏକ ନିର୍ମାଣାଧୀନ କୋଠାରେ ଭୁଶୁଡ଼ି ପଡ଼ିବାରୁ ଅତି କମରେ ୧୪ ଜଣ ସ୍କୁଲ ପିଲାଙ୍କ ମୃତ୍ୟୁ ହୋଇଛି । ଏହି କୋଠାରେ ଏକ ଘରୋଇ ଟ୍ୟୁସନ୍ ସେଣ୍ଟରର ଚାଲୁଥିଲା । ଘଟଣାରେ ଅନ୍ୟ ପାଞ୍ଚ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲାହୋରର କାହ୍ନା ଜିଲ୍ଲାର ଇଦଗାହ ବସ୍ତି ଅଞ୍ଚଳରେ ଏହି ଘଟଣା ଘଟିଛି । ଟ୍ୟୁସନରେ ୭ ବର୍ଷରୁ ୧୩ ବର୍ଷ ବୟସର ପିଲାମାନେ ପାଠ ପଢ଼ୁଥିବା ବେଳେ ଛାତ ଭୁଶୁଡ଼ି ପଡ଼ିଥିଲା । ସେମାନେ ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିଲେ । ଘଟଣା ପରେ ତୁରନ୍ତ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ ୨୦ ଜଣଙ୍କୁ ଭଗ୍ନାବଶେଷରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା ।
ଲାହୋରର ଡିଆଇଜି ଅପରେସନ୍ସ ଫୈଜଲ କାମରାନ କହିଛନ୍ତି ଯେ, ଭଗ୍ନାବଶେଷରୁ ୧୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଟ୍ୟୁସନ୍ ସେଣ୍ଟର ଥିବା କୋଠାର ଏକ ଅଂଶ ନିର୍ମାଣାଧୀନ ଥିଲା । ଛାତ ଭୁଶୁଡ଼ି ପଡ଼ିବା ସମୟରେ ଶ୍ରମିକମାନେ ସେଠାରେ କାମ କରୁଥିଲେ । ଠିକାଦାରଙ୍କୁ ଗିରଫ କରିଛୁ ।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ଏବଂ ସେମାନଙ୍କୁ ସମସ୍ତ ସମ୍ଭାବ୍ୟ ଚିକିତ୍ସା ସହାୟତା ଯୋଗାଇ ଦେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନୱାଜ କୋଠା ଭୁଶୁଡ଼ିବା ପାଇଁ ଦାୟୀ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ପୋଲିସ ଏବଂ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଲାହୋର କମିସନର ମରିୟମ ଖାନ ୧୪ ଜଣଙ୍କ ମୃତ୍ୟୁର ନିଶ୍ଚିତ କରିଛନ୍ତି । ଦୁର୍ଘଟଣା ସମ୍ପର୍କରେ ଦୁଇଜଣଙ୍କୁ ଅଟକ ରଖାଯାଇଛି । କୋଠାଟି ଏକ ଜନବହୁଳ ଆବାସିକ ଅଞ୍ଚଳରେ ଅବସ୍ଥିତ ।

