ଅଯୋଧ୍ୟା : ରାମ ମନ୍ଦିରରୁ ଦାନ ଅର୍ଥ ଚୋରି ମାମଲାର ନୂଆ ତଥ୍ୟ ସାମ୍ନାକୁ ଆସିଛି । ମନ୍ଦିରରେ ହୋଇଥିବା ନିଯୁକ୍ତି ପ୍ରକ୍ରିୟା ଏବେ ସନ୍ଦେହ ଘେରକୁ ଆସିଛି । ସୂଚନା ଅନୁସାରେ, ରାମ ମନ୍ଦିରରେ ଚାକିରି କରାଇଦେବା ନାଁରେ ବଡ଼ ଧରଣର ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଛି, ଯାହାର ତଦନ୍ତ ଏବେ ପୋଲିସ କରୁଛି । ପୋଲିସ ବିଭିନ୍ନ ଦସ୍ତାବିଜ୍, ଆର୍ଥିକ କାରବାର ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ବୟାନକୁ ଆଧାର କରି ପୋଲିସ ଖୋଳତାଡ଼ ଜାରି ରଖିଛି ।
ଖବର ମୁତାବକ, ଗିରଫ ଅଭିଯୁକ୍ତ ଅବିନାଶ ଶୁକ୍ଲାକୁ ଜେରା କରିବା ସମୟରେ ତଦନ୍ତକାରୀ ସଂସ୍ଥାକୁ କିଛି ଏଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଜେରା ବେଳେ ଟ୍ରଷ୍ଟର ଜଣେ ସଦସ୍ୟଙ୍କ ନାଁ ବାରମ୍ବାର ସାମ୍ନାକୁ ଆସୁଥିବାରୁ, ଏବେ ଉକ୍ତ ସଦସ୍ୟଙ୍କ ଭୂମିକାକୁ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି ।
ରାମ ମନ୍ଦିର ପ୍ରତିଷ୍ଠାନର ବିଭିନ୍ନ ପଦବୀରେ ପ୍ରାୟ ୧୨୫ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏମାନଙ୍କ ମଧ୍ୟରୁ ଅନେକ ପ୍ରାର୍ଥୀ ଚାକିରି ପାଇବା ପାଇଁ ମୋଟା ଅଙ୍କର ଟଙ୍କା ଦେଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ କେତେ ସତ୍ୟତା ରହିଛି ତାହାର ଯାଞ୍ଚ କରୁଛି ପୋଲିସ । ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ, ଅନେକ କର୍ମଚାରୀଙ୍କ ନିଯୁକ୍ତି ପତ୍ର, ଆନୁଷ୍ଠାନିକ ସେବା ଚୁକ୍ତି କିମ୍ବା ଚାକିରି ସମ୍ବନ୍ଧୀୟ ଆବଶ୍ୟକୀୟ ଦସ୍ତାବିଜ୍ ତୁରନ୍ତ ମିଳିପାରି ନାହିଁ । ସେଥିପାଇଁ ଏବେ ପ୍ରତ୍ୟେକ ନିଯୁକ୍ତିର ଅଲଗା ଅଲଗା ଭାବେ ଯାଞ୍ଚ କରାଯାଉଛି । ଏସବୁ ନିଯୁକ୍ତିର ଅସଲ କାଗଜପତ୍ର ଖୋଜୁଛି ପୋଲିସ ।
ମନ୍ଦିରରୁ ଦାନ ଅର୍ଥ ଚୋରି ମାମଲାରେ ଗିରଫ ହୋଇ ଏବେ ବିଚାର ବିଭାଗୀୟ ହାଜତରେ ଥିବା ଅନୁକଳ୍ପ ମିଶ୍ର ଏବଂ ଲବକୁଶ ମିଶ୍ରଙ୍କୁ ମଧ୍ୟ ଏହି ନିଯୁକ୍ତି ଦୁର୍ନୀତି ମାମଲାରେ ସାମିଲ କରାଯାଇଛି । ଏହି ସମଗ୍ର ନିଯୁକ୍ତି ଦୁର୍ନୀତିର ଯାଞ୍ଚ ପ୍ରକ୍ରିୟା ଏସଆଇଟିର ବିସ୍ତୃତ ରିପୋର୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବାକୁ ଯାଉଛି । ତେବେ ତଦନ୍ତ ଶେଷ ହେବା ପରେ ହିଁ ଅସଲ ସତ ସାମ୍ନାକୁ ଆସିବ ।

