ଭୁବନେଶ୍ବର: ଷ୍ଟେଟ୍ ସ୍ପେସିଆଲ ସେଲ୍ ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ବୃହତ୍ ଭିତ୍ତିଭୂମି ପ୍ରକଳ୍ପର ଯୋଜନା ପ୍ରସ୍ତୁତିଠାରୁ ଆରମ୍ଭ କରି ଡିପିଆର୍ ପ୍ରସ୍ତୁତି, ବୈଷୟିକ ଯାଞ୍ଚ, ଡିଜାଇନ୍, ଗୁଣବତ୍ତା ନିରୀକ୍ଷଣ, ପ୍ରଶିକ୍ଷଣ ଓ ଗବେଷଣାକୁ ଏକ ଛାତ ତଳେ ଆଣିବା ପାଇଁ ରାଜ୍ୟ ସରକାର ‘ଷ୍ଟେଟ୍ ସ୍ପେଶାଲ ସେଲ୍ ଗଠନ କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରସ୍ତାବ ପରେ ରାଜ୍ୟ ପ୍ରଶାସନ ଏଦିଗରେ ଆଗକୁ ବଢ଼ିଛି ।
ମୁଶନିବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହାର ପ୍ରଥମ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୧୮ ମାର୍ଚ୍ଚ ୨୦୨୬ରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ପାଖକୁ ଏନେଇ ଏକ କନ୍ସେପ୍ଟ ନୋଟ୍ ପଠାଇ ପ୍ରସ୍ତାବ ରଖିଥିଲେ । ଏହି ସେଲ୍ ଗଠନ ପାଇଁ ପ୍ରଥମ ପ୍ରସ୍ତାବ ଦିଆଯାଇଥିଲା । ପରେ ଏହାର କନ୍ସେପ୍ଟ ନୋଟ୍ ପ୍ରସ୍ତୁତ କରାଯାଇ ବିଭିନ୍ନ ବିଭାଗର ମତାମତ ଗ୍ରହଣ କରାଯାଇଥିଲା ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ତାଙ୍କ ପ୍ରସ୍ତାବରେ ଉଲ୍ଲେଖ କରିଥିଲେ ଯେ, ଓଡ଼ିଶା ଭିଜନ-୨୦୩୬ ଏବଂ ବିକଶିତ ଭାରତ-୨୦୪୭ର ଲକ୍ଷ୍ୟ ହାସଲ ପାଇଁ ଆଗାମୀ ବର୍ଷଗୁଡ଼ିକରେ ପରିବହନ, ସହରୀ ବିକାଶ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ, ସୂଚନା ପ୍ରଯୁକ୍ତି ଓ ଶିଳ୍ପ କ୍ଷେତ୍ରରେ ବୃହତ୍ ଭିତ୍ତିଭୂମି ପ୍ରକଳ୍ପ ହାତକୁ ନିଆଯିବ । କିନ୍ତୁ ବର୍ତ୍ତମାନ ବିଭିନ୍ନ ବିଭାଗ ପୃଥକ୍ ପୃଥକ୍ ପରାମର୍ଶଦାତାଙ୍କ ମାଧ୍ୟମରେ ଡିପିଆର୍ ପ୍ରସ୍ତୁତ କରୁଥିବାରୁ ଡିଜାଇନ୍, ବ୍ୟୟ ଆକଳନ, ବୈଷୟିକ ମାନଦଣ୍ଡ ଓ ଯୋଜନା ପ୍ରଣାଳୀରେ ଅସମାନତା ଦେଖାଦେଉଛି । ଏହା ଯୋଗୁଁ ପ୍ରକଳ୍ପ ବିଳମ୍ବ, ବ୍ୟୟ ବୃଦ୍ଧି ଓ ଗୁଣବତ୍ତା ସମସ୍ୟା ସୃଷ୍ଟି ହେଉଥିବା ଦସ୍ତାବିଜରେ ଉଲ୍ଲେଖ ରହିଛି ।
ଏହି ସମସ୍ୟାର ସମାଧାନ ପାଇଁ ଗଠନ ହେବାକୁ ଥିବା ଷ୍ଟେଟ୍ ସ୍ପେଶାଲ ସେଲ୍ ଏକ କେନ୍ଦ୍ରୀୟ ବୈଷୟିକ ସଂସ୍ଥା ଭାବେ କାର୍ଯ୍ୟ କରିବ । ଏହା ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ଯୋଜନା, ଡିପିଆର୍ ପ୍ରସ୍ତୁତି ଓ ଯାଞ୍ଚ, ଡିଜାଇନ୍ ମୂଲ୍ୟାଙ୍କନ, ବ୍ୟୟ ଯୁକ୍ତିସଙ୍ଗତକରଣ, ନିର୍ମାଣ ଗୁଣବତ୍ତା ନିଶ୍ଚିତକରଣ ଓ ପ୍ରକଳ୍ପ ନିରୀକ୍ଷଣ କରିବ । ଏହାସହ ସମସ୍ତ ବିଭାଗ ପାଇଁ ସମାନ ଡିପିଆର୍ ଫର୍ମାଟ୍, ଡିଜାଇନ୍ ମାନଦଣ୍ଡ, କଷ୍ଟିଂ ପଦ୍ଧତି, ଷ୍ଟାଣ୍ଡାର୍ଡ ଟେମ୍ପ୍ଲେଟ୍, ରେଟ୍ ବ୍ୟାଙ୍କ ଓ ପ୍ରଯୁକ୍ତିଗତ ନିର୍ଦ୍ଦେଶିକା ପ୍ରସ୍ତୁତ କରାଯିବ ।

