ଉଲ୍ଲେଖଥାଉକି, ପ୍ରତିବର୍ଷ କାଂଶବାଂଶରେ ଏକାଧିକ ଥର ବନ୍ୟା ଆସୁଛି। ଫଳରେ ସୋର ବ୍ଲକ୍ର ଏକାଧିକ ପଞ୍ଚାୟତ, ବିଶେଷ କରି ତଳନଗର ପଞ୍ଚାୟତର ଲୋକମାନେ ପ୍ରଭାବିତ ହେଉଛନ୍ତି। ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ସମସ୍ୟା ଜଟିଳ ହେଉଛି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।
ସୋର: ବାଲେଶ୍ବର ଜିଲ୍ଲାର ସୋର ଦେଇ ପ୍ରବାହିତ କାଂଶବାଂଶ ନଦୀରେ ବନ୍ୟା ଆସିଛି। ଫଳରେ ତଳନଗର ପଞ୍ଚାୟତ ଅଧୀନ ୧୪ ଗାଁର ୨୫ ଶହ ଲୋକ ପ୍ରଭାବିତ ହୋଇଛନ୍ତି। ଚାରି ଦିନ ହେଲା ବାଲେଶ୍ବରରେ ବର୍ଷା ଲାଗି ରହିଛି। ଫଳରେ ସୋର ବ୍ଲକ୍ ଦେଇ ପ୍ରବାହିତ କାଂଶବାଂଶ ନଦୀ ଉଛୁଳୁଛି। ବନ୍ୟାଜଳ ତଳନଗର ପଞ୍ଚାୟତର ସୁନାରୀ, ବ୍ରାହ୍ମଣ ସବିରା, ଚାଉଳି ଓ ସାଲମପୁର ସମେତ ୧୪ଟି ଗାଁରେ ପଶିଛି। ପାଣି ନିଷ୍କାସନ ହେଉ ନ ଥିବାରୁ ୨୫ ଶହରୁ ଅଧିକ ଲୋକ ତିନିଦିନ ହେବ ଜଳବନ୍ଦି ଅବସ୍ଥାରେ ଅଛନ୍ତି। ଘରେ ଚୁଲି ଜଳୁ ନ ଥିବାରୁ ଶୁଖିଲା ଖାଦ୍ୟ ଖାଇ ଦିନ ବିତାଉଛନ୍ତି।

